ହରପ୍ରିୟା ପାଠାଗାର ଉଦ୍‌ଘାଟିତ,ଗାନ୍ଧୀ, ଗୋପବନ୍ଧୁ ଏବଂ ନେତାଜୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ଭୁବନେଶ୍ୱର,୧୮ା୩: ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବିରିପଟା ଗ୍ରାମପଞ୍ଚାୟତର ନୂଆ ସୁନାପାଳ ଠାରେ ସର୍ବସାଧାରଣଙ୍କ ପାଇଁ ହରପ୍ରିୟା ପାଠାଗାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ପାଠାଗାର ସରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହେବା ସହିତ ସମାଜସେବୀ ଦୁଯ୍ୟେଧନ ପରିଡ଼ା ଏବଂ ହରପ୍ରିୟା ପରିଡ଼ାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଧ୍ୟାତ୍ମିକ ଗୁରୁ ପୂଜ୍ୟ ଭଗତାନନ୍ଦ ସରସ୍ବତୀ ଯୋଗଦେଇ ସମାଜରେ ଭଲ ମଣିଷ ହେବାକୁ ହେଲେ ମହାପୁରୁଷଙ୍କ ଜୀବନାଦର୍ଶନକୁ ପଢ଼ିବା ଦରକାର। ଆଜି ସମୟ କଳୁଷିତ ହୋଇପଡ଼ିଛି। ଭଲ ମନ୍ଦ ବାଛ ବିଚାର ବୋଲି କିଛି ନାହିଁ । ଏଭଳି ସମୟରେ ସମାଜ କେଉଁ ଆନକୁ ଗତି କରିବ। ସେଥିପାଇଁ ଆମ ପୂର୍ବଜ ମାନେ ଗାଁ ଗାଁରେ ଭାଗବତ ଟୁଙ୍ଗିରେ ଭାଗବତ,ଗୀତା ପାଠ କରୁଥିଲେ। ଏବେ ତାହା ଆଉ ନାହିଁ। ଏହି ପାଠାଗାର ଅଞ୍ଚଳବାସୀଙ୍କ ପାଇଁ ଶିକ୍ଷାର ଆଲୋକବର୍ତ୍ତିକା ପାଲଟିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଆଚାର୍ଯ୍ୟ ଅମରାନନ୍ଦ ପୁରାତନ ସମୟରେ ଗାଁର ଭାଇଚାରା, କଳା ସଂସ୍କୃତି ପରମ୍ପରାକୁ ପୁଣି ଥରେ ଉଜ୍ଜିବିତ୍‌ କରିବାକୁ ଆହ୍ବାନ ଦେଇଥିଲେ। ପାଠାଗାରର ପ୍ରତିଷ୍ଠାତା ସାମାଜିକ କର୍ମୀ ସୁବାସ ଚନ୍ଦ୍ର ପରିଡ଼ା କହିଥିଲେ ଯେ ମୋ ମା’ ପାଠ କ’ଣ ଜାଣିନଥିବା ବେଳେ ଆମକୁ ପାଠ ଦିଅକ୍ଷର ପଢ଼ିବାର ସୁଯୋଗ ଦେଇଥିଲେ। ସେ ସମୟର ଅଭାବ ଅସୁବିଧାରେ ବହି ଖଣ୍ଡେ ପାଇବା ଆମ ପାଇଁ ସାତ ସପନ ପାଲଟୁଥିଲା। ସେଥିପାଇଁ ମା’ଙ୍କ ନାମରେ ଏହି ପାଠାଗାରରେ ପିଲାମାନଙ୍କୁ ସବୁ ପ୍ରକାର ବହି ଯୋଗାଇ ଦେବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଗରିବ ପିଲାମାନଙ୍କୁ ମାଗଣାରେ ମଧ୍ୟ ଶିକ୍ଷା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ। ପ୍ରାକ୍ତନ ପ୍ରଧାନଶିକ୍ଷକ ତାରାକାନ୍ତ ଜେନା, ତ୍ରିଲୋଚନ ପରିଡ଼ା, ସାମ୍ବାଦିକା ସୁମନି ଅନନ୍ଦିତା, ସାମ୍ବାଦିକ ଶୁଭ୍ରାଂଶୁ ସୂତାର ଏବଂ ସୌଭାଗ୍ୟ ରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଏହି ଉତ୍ସବରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଶିକ୍ଷାବିତ୍‌ ଏବଂ ଗ୍ରାମବାସୀ ଯୋଗଦେଇଥିଲେ। କୌଳାସ ଚନ୍ଦ୍ର ସାମଲ ଧନ୍ୟବାଦ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!