ଭୁବନେଶ୍ୱର,୧୯ା୩: ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସକାଳୁ ଆରମ୍ଭ ହେବ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ରାଜ୍ୟରେ ରୌଦ୍ରତାପକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଆସନ୍ତା ଏପ୍ରିଲ ୨ରୁ ଲାଗୁ ହେବ। ତେବେ ଏ ପର୍ଯ୍ୟନ୍ତ ସମୟ ସାରଣୀ ପ୍ରକାଶ କରାଯାଇାନାହିଁ। ଏହି ସପ୍ତାହ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ଲୋକସେବା ଭବନଠାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।ବୈଠକରେ ସମସ୍ତ ଜିଲାପାଳ ଓ ଉପସ୍ଥିତ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଗୁଆ ଆସିଛି । ରାଜ୍ୟର ଅନେକ ଜିଲାରେ ତାପମାତ୍ରା ଅଧିକ ରହୁଛି । ଯଦିଓ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ଦିନରେ ତାପମାତ୍ରା କମିବ, ତେବେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ସରକାରୀ ସ୍ତରରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯାହା SOP ଜାରି କରାଯାଇଛି, ତାକୁ ଦୃଷ୍ଟିରେ ରଖି ଜିଲାପାଳମାନେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଆବଶ୍ୟକସ୍ଥଳେ SOP ବାହାରେ ମଧ୍ୟ କାମ କରିବା ପାଇଁ ଜିଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |