ବେଙ୍ଗାଲୁରୁ ,୨୧।୩: କର୍ଣ୍ଣାଟକ ବିଧାନସଭାରୁ ବିଜେପିର ୧୮ ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି।କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ହନଟ୍ରାପ ଦୁର୍ନୀତି ଅଭିଯୋଗ ଆସିବା ପରେ ତାହାକୁ ନେଇ ବିବାଦ ଉପୁଜିଛି। ଏହି ମାମଲାରେ ୪୮ ଜଣ ବରିଷ୍ଠ ମନ୍ତ୍ରୀ ସାମିଲ୍ ଥିବା ଅଭିଯୋଗ ହୋଇଛି।ବିଧାନସଭା ବାଚସ୍ପତି ୟୁ.ଟି. ଖାଦର ଶୁକ୍ରବାର ‘ହନି ଟ୍ରାପ’ ପ୍ରସଙ୍ଗ ଚର୍ଚ୍ଚାରେ ହଟ୍ଟଗୋଳ କରିବା ଓ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଯୋଗୁ ବିଧାୟକମାନଙ୍କୁ ୬ ମାସ ନିମନ୍ତେ ନିଲମ୍ବିତ କରିଛନ୍ତି। ବିରୋଧୀ ଦଳ ବିଧାୟକମାନେ ହାଇକୋର୍ଟର ଜଣେ ସିଟିଂ ବିଚାରରପତିଙ୍କ ଦ୍ୱାରା ହନିଟ୍ରାପ ମାମଲାର ବିଚାରବିଭାଗୀୟ ତଦନ୍ତ ଦାବି କରିଥିଲେ। ଏଥିପାଇଁ ସେମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ପହଞ୍ଚି କାଗଜ ଚିରିବା ସହ ହଟ୍ଟଗୋଳ କରିଥିଲେ।ବିଧାନସଭାରେ ବିରୋଧୀ ଦଳ ବିଧାୟକଙ୍କ ବିଶୃଙ୍ଖଳାକୁ ନେଇ କର୍ଣ୍ଣାଟକ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ.କେ.ପାଟିଲ ଏକ ବିଧେୟକ ଉପସ୍ଥାପନ କରିଥିଲେ। ଏଥିରେ ବିଶୃଙ୍ଖଳିତ ବିଧାୟକଙ୍କୁ ଗୃହରୁ ୬ ମାସ ନିମନ୍ତେ ନିଲମ୍ବିତ କରିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ତାହା ଗୃହୀତ ହୋଇଛି। ନିକଟରେ ଏକ ହାଇପ୍ରୋଫାଇଲ ହନିଟ୍ରାପ ମାମଲା କର୍ଣ୍ଣାଟକରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥି ଯୋଗୁ କର୍ଣ୍ଣାଟକ ରାଜନୀତି ଉଷ୍ମ ହେଉଥିବା ବେଳେ ବିରୋଧୀ ଦଳ ବିଚାର ବିଭାଗୀୟ ତଦନ୍ତ ଦାବି କରୁଛନ୍ତି। ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ କର୍ଣ୍ଣାଟକ ସମବାୟ ମନ୍ତ୍ରୀ କେ.ଏନ.ରାଜନ୍ନା ବିଧାନସଭାରେ ଘଟଣାକୁ ସ୍ୱୀକାର କଲେ । ଏଥିରେ ରାଜ୍ୟର ୪୮ ଜଣ ବିଧାୟକ, ନେତା ଓ କେନ୍ଦ୍ର ନେତା ଫଶିଥିବା ସେ କହିଥିଲେ। ତେବେ ଏହି ଜାଲରୁ ନିଜେ ରାଜନ୍ନା ବର୍ତ୍ତିଯାଇଥିବା ଗୃହକୁ କହିଥିଲେ। ଏହି ଦାବି ରାଜ୍ୟରେ ଶାସକ କଂଗ୍ରେସ ଓ ବିରୋଧୀ ବିଜେପିକୁ ଏକ ବଡ ସମସ୍ୟାରେ ଫଶେଇ ଦେଇଛି। ୨୦ମାର୍ଚ୍ଚ ୨୦୨୫ରେ ବିଜେପି ବିଧାୟକ ବସନ ଗୌଡା ପାଟିଲ ୟତ୍ନାଲ ସର୍ବପ୍ରଥମେ ବଜେଟ୍ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |