କଲକାତା,୩।୪: ଆଇପିଏଲରେ ଆଜି ୧୫ଶ ମ୍ୟାଚ୍ ଘରୋଇ କଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଇଡେନ ଗାର୍ଡେନରେ ଖେଳାଯିବ। ଦୁଇ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବେ। କଲକାତା ନାଇଟ୍ ରାଇଡର୍ସ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଦୁଇଟି ପରାଜିତ ହୋଇଛି। ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ୱିକେଟରେ ପରାସ୍ତ କରିଥିଲା। ଶେଷ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିଲା। ଦଳର ପ୍ରଦର୍ଶନ ଅସ୍ଥିର ରହିଛି। ବ୍ୟାଟିଂ କ୍ଷେତ୍ରରେ କ୍ବିଣ୍ଟନ ଡିକକ ୩ଟି ମ୍ୟାଚରୁ ଗୋଟିଏ ଅର୍ଦ୍ଧଶତକ ସହ ୧୦୨ରନ, ଅଜିଙ୍କ୍ୟ ରାହାଣେ ୮୫ ଓ ଅଙ୍ଗକ୍ରିସ ରଘୁବଂଶୀ ୭୮ରନ କରିଛନ୍ତି। ଉକ୍ତ ୩ ବ୍ୟାଟ୍ସମ୍ୟାଙ୍କୁ ଛାଡ଼ିଦେଲେ ଅନ୍ୟ କେହି ସେଭଳି ବଡ଼ ସ୍କୋର କରିପାରିନାହାନ୍ତି। ସୁନୀଲ ନାରାୟଣ ୪୪, ଭେଙ୍କଟେଶ ଆୟର ୯, ରିଙ୍କୁ ସିଂହ ୨୯., ଆେନ୍ଦ୍ର ରସେଲ ୯ ରନ କରିଛନ୍ତି।ରିଙ୍କୁ, ରସେଲ ଓ ଭେଙ୍କଟେଶଙ୍କ ଖରାପ ଫର୍ମ ଦଳକୁ ଚିନ୍ତାରେ ପକାଇଛି। ବୋଲିଂରେ ମଧ୍ୟ ଦଳ ସେଭଳି ପ୍ରଭାବ ବିସ୍ତାର କରି ପାରିନାହିଁ।ବରୁଣ ଚକ୍ରବର୍ତ୍ତୀ ଓ ହର୍ଷିତ ରାଣାଙ୍କ ଭଳି ବୋଲର ରହିଥିଲେ ମଧ୍ୟ ଦଳ ସେଭଳି ପ୍ରଦର୍ଶନ କରିପାରୁନାହିଁ। ବୈଭବ ଆରୋରା ୩ଟି, ବରୁଣ ଚକ୍ରବର୍ତ୍ତୀ ୩ଟି , ହର୍ଷିତ ରାଣା ୨ଟି ୱିକେଟ ନେଇଛନ୍ତି। ଦଳ ନିକଟରେ ଅଲରାଉଣ୍ଡର ଭାବେ ଆନ୍ଦ୍ର ରସେଲ , ଭେଙ୍କଟେଶ ଆୟର, ସୁନୀଲ ନାରାୟଣ ଓ ମୋଇନ ଅଲ୍ଲୀ ମଧ୍ୟ ରହିଛନ୍ତି। କିନ୍ତୁ ଉକ୍ତ ଖେଳାଳିମାନେ ଏପର୍ଯ୍ୟନ୍ତ ପ୍ରଦର୍ଶନର ଛାପ ଛାଡ଼ିପାରିନାହାନ୍ତି। ମ୍ୟାଚ ଜିତିବାକୁ ହେଲେ ଦଳକୁ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଏବେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।ଦିଲ୍ଲୀ ବିପକ୍ଷ ମ୍ୟାଚରେ ଅନିକେତ ବର୍ମା ୭୪ରନର ଇନିଂସ ଖେଳିଥିଲେ। ଉକ୍ତ ପ୍ରଦର୍ଶନ ଦଳର ସମ୍ମାନ ରକ୍ଷା କରିଥିଲା। ଶକ୍ତିଶାଳୀ ବ୍ୟାଟିଂ ଲାଇନ ପାଇଁ ପରିଚିତ ସନରାଇଜର୍ସକୁ ବ୍ୟାଟିଂ କ୍ଷେତ୍ରରେ ସ୍ଥିର ପ୍ରଦର୍ଶନ କରିବାକୁ ପଡ଼ିବ। ବୋଲିଂରେ ମଧ୍ୟ ଦଳର ପ୍ରଦର୍ଶନ ସେଭଳି ଭଲ ନାହିଁ। ୩ଟି ଯାକ ମ୍ୟାଚରେ ବୋଲରମାନେ ୧୨ଟି ୱିକଟ ନେଇଛନ୍ତି। ଦଳରେ ମହମ୍ମଦ ସାମି, ପ୍ୟାଟ୍ କମିନ୍ସ, ହର୍ଷ ଲ ପଟେଲ ଓ ୱିୟାନ ମୁଲଡରଙ୍କ ଭଳି ଅଭିଜ୍ଞ ଦ୍ରୁତ ବୋଲର ରହିଛନ୍ତି। କିନ୍ତୁ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ଦଳକୁ ବିଜୟ ଧାରାକୁ ଫେରିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ତ୍ରୁଟିକୁ ସୁଧାରି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ବର୍ତ୍ତମାନ ଦୁଇ ଦଳ ସମାନ ସ୍ଥିତିରେ ଥିବାରୁ ମ୍ୟାଚ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ କଲକାତା ନାଇଟ୍ ରାଇଡର୍ସ ୪ଟି ଓ ସନରାଇଜର୍ସ ହାଇଦରାବାଦ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |