ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୭ା୪ : ପବିତ୍ର ରାମନବମୀଠାରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ଶ୍ରୀରାମ ଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ନୀତି ସହ ଅଙ୍ଗାଙ୍ଗୀ ଭାବେ ସାହିଯାତ ଜଡ଼ିତ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନାରେ ଏକ ଅଙ୍ଗ ଭାବେ ଶ୍ରୀରାମଳୀଳାକୁ ବିବେଚନା କରାଯାଏ। ଶ୍ରୀମନ୍ଦିରରେ ଏହି ଲୀଳା ପାଳନ ହେବା ସହ ଶ୍ରୀକ୍ଷେତ୍ରର ଆଠ ସାହିରେ ଯାତ ଅନୁଷ୍ଠିତ ହୋଇଥାଏ। ସାହିଯାତରେ ସମରକଳା, ଲୋକକଳା, ଲୋକନୃତ୍ୟ ଓ ସାଂସ୍କୃତିକ ପରମ୍ପରା ଦେଖିବାକୁ ମିଳିଥାଏ। ପୁରୀର ଆଠ ସାହି ଆଖଡ଼ା ପକ୍ଷରୁ ଏହି ଯାତ ଅନୁଷ୍ଠିତ ହୋଇଥାଏ। ଯାତରେ ରାମଜନ୍ମ, ଯଜ୍ଞରକ୍ଷା, ସୀତା ବିବାହ, ପର୍ଶୁରାମଙ୍କ କଳାହରଣ, ଶ୍ରୀରାମଙ୍କ ବନବାସ, ଲଙ୍କାପୋଡ଼ି, ସେତୁବନ୍ଧ ପ୍ରତିଷ୍ଠା, ରାବଣ ବଧ ଏବଂ ରାମାଭିଷେକ ଲୀଳା ହୋଇଥାଏ।ସାହିଯାତର ପ୍ରଥମ ଦିବସରେ ରବିବାର କାଳିକାଦେବୀ ସାହି ଆଖଡ଼ା ପକ୍ଷରୁ ରାମଜନ୍ମ ନୀତି ପ୍ରସ୍ତାବ ଆଗତ କରାଯିବା ସହ ଶ୍ରୀରାମ ଜନ୍ମ ନୀତି ସମ୍ପନ୍ନ ହୋଇଛି। ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଋଷ୍ୟଶୃଙ୍ଗ ଆଦି ବେଶଧାରୀମାନେ ସାହିରୁ ବାହାରି ପ୍ରଥମେ ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସହ ଆଜ୍ଞାମାଳ ପ୍ରାପ୍ତ ହୋଇଥିଲେ। ପରେ ସେମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀରାମ ଜନ୍ମ ନୀତିରେ ସାମିଲ ହୋଇଥିଲେ।
ସେଠାରୁ ଚରୁଅନ୍ନ ଆଣି ମା’ଦକ୍ଷିଣକାଳୀଙ୍କୁ ଅର୍ପଣ କରାଯିବା ପରେ ବେଶଧାରୀମାନେ ବନ୍ଧୁସାହି, ମାଟିମଣ୍ଡପ ସାହି ପରିକ୍ରମା କରିଥିଲେ। ଏଥିସହ ନାଗା, ମେଢ଼ର ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ନାଗା, ନବଶିରା ସହିତ ବିଭିନ୍ନ ମେଢ଼ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ବୀରବାଦ୍ୟରେ କମ୍ପିଉଠିଥିଲା ଶ୍ରୀକ୍ଷେତ୍ର। ବିଭିନ୍ନ ଠାଣିରେ ମଜ୍ଜିଯାଇଥିଲେ ସାହି ଭେଣ୍ଡିଆ। ବୀରଦର୍ପ ଚାଲି, କଥାକୁହା ଆଖି ଓ ମନମତାଣିଆ ବେଶରେ ସମସ୍ତେ ବିଭୋର ହୋଇଥିବା ବେଳେ ମଲ୍ଲୀଫୁଲ ମାଳର ବାସ୍ନାରେ ମହକିଛି ଶ୍ରୀକ୍ଷେତ୍ର। ସାହିକୁ ରଙ୍ଗିନ ଆଲୋକରେ ସୁସଜ୍ଜିତ କରାଯାଇଥିଲା। ଆଠସାହି ଆଖଡ଼ାର ମୁରବିମାନେ ସାହିଯାତରେ ସାମିଲ ହୋଇଥିଲେ। ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଓ ସାତସାହି ମୁରବି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!