ଦିଲ୍ଲୀ : ଆଇପିଏଲ୍ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଜୟପୁରରେ ଅପରାହ୍ଣ ୨୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଓ ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବଇ ଇଣ୍ଡିଆନ୍ସ ମୁକାବିଲା ହେବ। ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍ସ ୫ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୩ଟି ପରାଜିତ ହୋଇଛି। ଦଳର ପ୍ରଦର୍ଶନ ଅସ୍ଥିର କରୁଛି। ବୋଲିଂ ଅପେକ୍ଷା ବ୍ୟାଟିଂରେ ଦଳ ଅଧିକ ବିଫଳ ହେଉଛି। ସାମସନ, ନୀତିଶ ରାଣା ଓ ସିମରନ ହେତମେୟାର ରନ କରୁଥିବା ବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ ସଫଳ ହେଉନାହାନ୍ତି। ଯଶସ୍ବୀ ଜୟସୱାଲଙ୍କ ଖରାପ ଫର୍ମ ଦଳକୁ ଚିନ୍ତାରେ ପକାଇଛି। ଧ୍ରୁବ ଜୁରେଲ ଓ ରିୟାନ ପରାଗ ଭଲ ଇନିଂସ ଖେଳିବାରେ ବିଫଳ ହେଉଛନ୍ତି। ବୋଲିଂରେ ଜେଫ୍ରା ଆର୍ଚର ଫର୍ମକୁ ଫେରିଥିବାବେଳେ ଅନ୍ୟ କାହାରି ସହାୟତା ମିଳୁନାହିଁ। ଦଳ ନିକଟରେ ଦକ୍ଷ ଖେଳାଳି ରହିଥିଲେ ମଧ୍ୟ ସ୍ଥିର ପ୍ରଦର୍ଶନର ଅଭାବ ରହିଛି। ଦଳକୁ ବିଜୟ ଧାରାକୁ ଫେରିବାକୁ ହେଲେ ଏବେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି।ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୫ଟି ମ୍ୟାଚରୁ ୩ଟି ବିଜୟ ଓ ୨ଟି ରେ ପରାଜିତ ହୋଇଛି। ଦଳ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ବ୍ୟାଟିଂ ଓ ବୋଲିଂରେ ବିଫଳତା ପାଇଁ ପରାଜିତ ହୋଇଥିଲା। ବିରାଟ କୋହଲି ଓ ଅଧିନାୟକ ରଜତ ପଟିଦାରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ନିୟମିତ ରନ କରିପାରିନାହାନ୍ତି। ଲିୟାମ ଲିଭିଙ୍କଷ୍ଟୋନ, ଜିେତଶ ଶର୍ମା, ଟିମ୍ ଡେଭିଡ୍ ଆଶାନୁଯାୟୀ ପ୍ରଦର୍ଶନ କରିପାରିନାହାନ୍ତି। ବୋଲିଂ କ୍ଷେତ୍ରରେ ଜୋଶ ହାଜେଲଉଡ୍ ଓ ଭୁବନେଶ୍ବର କୁମାର ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ସ୍ପିନର ଭାବେ କ୍ରୁନାଲ ପାଣ୍ଡ୍ୟା ସଫଳ ହେଉଛନ୍ତି। ଦୁଇ ଦଳର ପ୍ରଦର୍ଶନକୁ ଦେଖିଲେ ପ୍ରାୟତଃ କେହି କାହାରିଠାରୁ କମ୍ ନୁହଁନ୍ତି। ସେହିପରି ଅରୁଣ ଜେଟ୍ଲୀ ଷ୍ଟାଡ଼ିୟମରେ ଅପରାଜୟ ଦିଲ୍ଲୀ କ୍ୟାପିଟାଲ୍ସ ଓ ଅସ୍ଥିର ପ୍ରଦର୍ଶନ କରୁଥିବା ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ଆଉ ଏକ ବଡ଼ ଲଢେଇ ଦେଖିବାକୁ ମିଳିବ। ଦିଲ୍ଲୀ କ୍ୟାପିଟାଲ୍ସ ୪ଟି ମ୍ୟାଚରୁ ୪ଟି ବିଜୟ ସହ ଅପରାଜୟ ରହିଛି। ମୁମ୍ବଇ ଇଣ୍ଡିଆନ୍ସ ୫ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ଓ ୪ଟି ପରାଜିତ ହୋଇଛି। ଦିଲ୍ଲୀ ବିଜୟ ଧାରାକୁ ବଜାୟ ରଖିବାକୁ ଉଦ୍ୟମ କରିବାବେେଳ ମୁମ୍ବଇ ବିଜୟକୁ ଫେରିବା ନେଇ ବ୍ୟଗ୍ର। ଦିଲ୍ଲୀ ୪ଟି ଯାକ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |