ରାଜନଗର,,୨୫।୪ : କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଦେଢ଼ ମାସର ବ୍ୟବଧାନ ପରେ ଅଲିଭରିଡ଼ଲେ କଇଁଛ ଛୁଆ ବସାରୁ ବାହାରି ସମୁଦ୍ର ମୁହାଁ ହେବାରେ ଲାଗିଛନ୍ତି। ଗୁରୁବାର ସକାଳ ସୁଦ୍ଧା ୮୨ ଲକ୍ଷରୁ ଊର୍ଦ୍ଧ୍ବ ଛୁଆ ସମୁଦ୍ରର ନୀଳ ଜଳରାଶିକୁ ଚାଲିଯାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୫୩,୪୨୬ ଅଲିଭ୍ ରିଡ୍ଲେ ଅଣ୍ଡାଦାନ କରିଥିବା ବେଳେ ଏକକୂଳା ନାସୀରେ ୨ଲକ୍ଷ ୯୬,୪୩୬ କଇଁଛ ଅଣ୍ଡାଦାନ କରିଥିଲେ। ମଙ୍ଗଳବାର ଓ ବୁଧବାର ଦୁଇ ଦିନରେ ନାସୀ-୨ ରୁ ୮୨ଲକ୍ଷ କଇଁଛ ଶାବକ ସମୁଦ୍ରକୁ ଯାଇଥିଲେ। ଆଜି ସନ୍ଧ୍ୟାରୁ ନାସୀ-୨ରୁ କଇଁଛ ଶାବକ ବାଲିରୁ ବାହାରି ସମୁଦ୍ରକୁ ଯିବା ଆରମ୍ଭ କରିଛନ୍ତି। ଅଣ୍ଡାଗୁଡ଼ିକର ଛୁଆ ଫୁଟିବା ସମୟରେ ସୁରକ୍ଷା ଦେବା ପାଇଁ ଗହୀରମଥା ଡେପୁଟି ରେଞ୍ଜ ଅଫିସର୍ କପିଳେନ୍ଦ୍ର ପ୍ରଧାନଙ୍କ ସମେତ ବନ ବିଭାଗର କର୍ମଚାରୀ ସଜାଗ ରହିଛନ୍ତି। ଏହି ପ୍ରକ୍ରିୟା ଆଉ ଚାରିଦିନ ପର୍ଯ୍ୟନ୍ତ ଚାଲୁ ରହିବ। ୩୧ ବର୍ଷ ପରେ ଏକକୂଳାନାସୀ କଇଁଛମାନେ ଚଳିତ ବର୍ଷ ଗଣ ଅଣ୍ଡାଦାନ କରିଥିଲେ। ତେବେ ଏକକୂଳା ନାସୀରୁ କଇଁଛ ଶାବକ ବାହାରି ନଥିବା ରାଜନଗର ଡିଏଫ୍ଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |