ନୂଆଦିଲ୍ଲୀ,୫।୬: ଭାରତରେ ଆଗାମୀ ଜନଗଣନା ୨୦୨୭ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି। ଦେଶରେ ପରବର୍ତ୍ତୀ ଜନଗଣନା ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏଥିରେ ଲୋକଙ୍କ ଜାତି ଓ ସାମାଜିକ-ଆର୍ଥିକ ବିବରଣୀକୁ ମଧ୍ୟ ସାମିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟଗୁଡ଼ିକରେ ତୁଷାରପାତକୁ ଦୃଷ୍ଟିରେ ରଖି ୨୦୨୬ ଅକ୍ଟୋବରରେ ଜନଗଣନା ଆରମ୍ଭ କରିବା ନେଇ ସ୍ଥିର କରାଯାଇଛି। ଏହି ଜନଗଣନା ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମହିଳା ଓ ପୁରୁଷମାନଙ୍କ ଜାତି ତଥା ଉପଜାତି ସମ୍ପର୍କରେ ଜନଗଣନାରେ ଉଲ୍ଲେଖ କରାଯିବ। ଜାତିଗତ ଜନଗଣନା କରାଇବା ପାଇଁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଦାବି ଜୋର୍ ଧରିଥିବାବେଳେ ଗତ ଏପ୍ରିଲ ୩୦ରେ କେନ୍ଦ୍ର ସରକାର ଏନେଇ ଘୋଷଣା କରିଥିଲେ। ଭାରତରେ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଇଆସୁଥିଲା। କିନ୍ତୁ କୋଭିଡ୍-୧୯ ମହାମାରୀ ଯୋଗୁ ୨୦୨୧ରେ ହେବାକୁ ଥିବା ଜନଗଣନା କରାଯାଇପାରି ନ ଥିଲା। ଗତ ଜନଗଣନା ୨୦୧୧ରେ ହୋଇଥିବାବେଳେ ଏହାର ୧୬ ବର୍ଷ ପରେ ପରବର୍ତ୍ତୀ ଜନଗଣନା ହେବାକୁ ଯାଉଛି। ଏ ସମ୍ପର୍କିତ ସରକାରୀ ବିଜ୍ଞପ୍ତି ଆସନ୍ତା ୧୬ ତାରିଖରେ ପ୍ରକାଶ ପାଇପାରେ। ଭାରତ ସରକାର ସେନ୍ସସ୍ ଆକ୍ଟ, ୧୯୪୮ ଓ ସେନ୍ସସ୍ ରୁଲ୍ସ ୧୯୯୦ ଅନୁସାରେ ଜନଗଣନା କରାଇଥାଆନ୍ତି।ଓଡ଼ିଶାରେ ଏହି ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିଖିଲ ପବନ କଲ୍ୟାଣଙ୍କୁ ସେନସସ୍ ଅପରେସନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ଡିଓପିଟି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି।ଜନଗଣନା ପରେ ଲୋକସଭା ଓ ବିଧାନସଭା ଆସନଗୁଡ଼ିକର ପରିସୀମନ ମଧ୍ୟ କରାଯାଇପାରେ, ଯାହା ୨୦୨୮ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହା ପରେ ୨୦୨୯ରୁ ନୂଆ ଆସନ ବିଭାଜନ ଅନୁସାରେ ନିର୍ବାଚନ ହେବାର ସମ୍ଭାବନା ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |