ପୁରୀ, ୨୨।୦୬: ଶ୍ରୀମନ୍ଦିରରେ ଜାରି ରହିଛି ମହାପ୍ରଭୁଙ୍କ ସ୍ବତନ୍ତ୍ର ଅଣସର ଉପଚାର। ୧୧ ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ। ଶ୍ରୀମନ୍ଦିରରେ ପୁଣି ବାଜିଛି ଘଣ୍ଟଘଣ୍ଟା କାହାଳୀ ପୁଣି ଶୁଣିବାକୁ ମିଳିଛି ମଣିମା ମଣିମା ଡାକ। କାରଣ ବିଶ୍ୱନିୟନ୍ତା ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତି ଗତକାଲି ଖଳିଲାଗି ଏକାଦଶୀରେ ଦଶମୂଳ ସେବନ ପରେ ଏବେ ସଂପୂର୍ଣ୍ଣ ସୁସ୍ଥ । ଶୁଦ୍ଧସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଖଳିକୁ ଦିଅଁଙ୍କୁ ଲାଗି କରାଯିବା ପରେ ଦଇତାପତି ଓ ପତିମହାପାତ୍ର ସେବାୟତ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିଥିଲେ। ଏଥିସହ ମହାପ୍ରଭୁଙ୍କୁ ବାରଲାଗି ଖଣ୍ଡୁଆପାଟ ପରିଧାନ କରାଯାଇଛି। ଅଣସରରେ ବିନା ତୁଳସୀ ଓ ଧଳା ଫୁଲରେ ଚତୁର୍ଦ୍ଧାମୂରତୀ ପୂଜା ପାଉଥିବା ବେଳେ ମହାପ୍ରଭୁଙ୍କଠାରେ ତୁଳସୀ ଓ ରଙ୍ଗୀନ ଫୁଲ ଲାଗି କରାଯାଇଛି। ଆଜି ଅଣସର ଦ୍ୱାଦଶୀରେ ପରମ୍ପରା ଅନୁଯାୟୀ ଦଇତାପତି ସେବାୟତମାନେ ଶ୍ରୀନହରକୁ ଖଳି ବିଜେ କରାଇବା ସହ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରିବେ ।ଶନିବାର ଖଳିଲାଗି ଏକାଦଶୀରେ ଏଭଳି ଶୁଭ ସୂଚନା ମିଳିଛି ଶ୍ରୀମନ୍ଦିରରୁ। ଦଶମୂଳ ମୂଳ ମହୌଷଧ ଅର୍ପଣ ପରେ ମହାପ୍ରଭୁ ପୂରା ସୁସ୍ଥ । ଏଣୁ ଆଗଭଳି କୋଳାହଳମୟ ହୋଇଛି ବଡ଼ଦେଉଳ। ଶୁକ୍ଳବସ୍ତ୍ର ଛାଡ଼ି ଛାଡ଼ି ଠାକୁରେ ରକ୍ତବର୍ଣ୍ଣ ବସ୍ତ୍ର ପରିଧାନ କରି କରିଛନ୍ତି । ଚନ୍ଦ୍ରିକା, ବାରଲାଗି ଖଣ୍ଡୁଆ, ରଙ୍ଗିନ ସୁବାସିତ ପୁଷ୍ପାଦିରେ ବିଭୂଷିତ ହୋଇ ଅଣସରରେ ପ୍ରଥମ ଥର ତୁଳସୀ ଲାଗି ହୋଇଛନ୍ତି। ଶ୍ରୀବିଗ୍ରହ ଓ ଦଶଠାକୁରଙ୍କଠାରେ ଚନ୍ଦନଲାଗି ନୀତି ହୋଇଛି। ଚନ୍ଦନ ସର୍ବାଙ୍ଗ ସମୟରେ ଘଣ୍ଟ ସହ ବାଜିଛି ବିଜେ କାହାଳୀ।ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ୪ ଦିନ ବାକି ଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। ବିଶ୍ଵକର୍ମା ମାନେ ପ୍ରଭା କାମ ସାରି ରୂପକାରଙ୍କୁ ଦେବା ପରେ ସେଥିରେ ରୂପକାର ସେବକ ମାନେ କୀର୍ତ୍ତିମୁଖ ଓ ଉଭୟ ପାର୍ଶ୍ଵରେ ମଗରମୁଣ୍ଡ ଚିତ୍ର କରୁଛନ୍ତି । ଗତକାଲି ଭୋଇ ସେବକମାନେ ରଥଚାଳି ଭାଙ୍ଗିବା ସହ ତେଣ୍ଟିଆ ସାହାଯ୍ୟରେ ତିନି ରଥର ୧୨ଟି ଦୁଆରଘଡା ଉଠାଇଛନ୍ତି । ସମସ୍ତ ତିନିରଥର ଚାରିଟି ଲେଖାଏଁ ଦୁଅରଘଡା ଉଠିବା ପରେ ସପ୍ତମ ହରିବୋଲ ପଡିବା ସହ ଆଗକୁ ସିଂହାସନ, ପ୍ରଭା ଇତ୍ୟାଦି କାମ କରାଯିବ ବୋଲି କହିଛନ୍ତି ଭୋଇ ସର୍ଦ୍ଦାର।ଆଜି ଅନୁଷ୍ଠିତ ହେବ ଚଳିତ ରଥଯାତ୍ରାର ତୃତୀୟ ତଥା ଶେଷ ରଥ ସମନ୍ବୟ ବୈଠକ । ଦିନ 11ଟାରେ ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏଥିରେ ରଥନିର୍ମାଣ ଠାରୁ, ଶୃଙ୍ଖଳିତ ନୀତିକାନ୍ତି , ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ ସୁପରିଚାଳନା, ଆଇନକାନୁନ ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ସମସ୍ତ ବ୍ୟବସ୍ଥାବଳୀ ଉପରେ ବିସ୍ତୃତ ଆଲୋଚନା ହେବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |