ପୁରୀ,,୬ା୭:ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳାମୟ ଠାକୁର । ମହାପ୍ରଭୁଙ୍କର ବହୁ ପର୍ବପର୍ବାଣି ଅନୁଷ୍ଠିତ ହୁଏ ।ରବିବାର ଆଷାଢ ଶୁକ୍ଳ ଏକାଦଶୀ। ଶ୍ରୀଜଗନ୍ନାଥଙ୍କର ଶୟନ ଯାତ୍ରା। ମହାପ୍ରଭୁଙ୍କର ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ। ହରିଶୟନ ଏକାଦଶୀଠାରୁ ଚାରିମାସ ପର୍ଯ୍ୟନ୍ତ ଠାକୁରମାନେ ଶୟନ କରନ୍ତି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ମହାପ୍ରଭୁ ଶୟନରୁ ଉଠନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ସମସ୍ତ ଏକାଦଶୀ ଭଳି ନୀତି ଅନୁଷ୍ଠିତ ହୋଇଥାଏ। ବିଳମ୍ବିତ ରାତିରେ ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ହୋଇ ମହାସ୍ନାନ ପରେ ଭଣ୍ଡାର ମେକାପ ଭଣ୍ଡାରଘରୁ ସୁବର୍ଣ୍ଣର ଶୟନ ଠାକୁରଙ୍କୁ ତିନିରଥକୁ ବିଜେ କରାଇବେ।ଏକାଦଶୀରେ ଶ୍ରୀଜୀଉଙ୍କର ବଡସିଂହାର ଭୋଗ ଲାଗି କରାଯାଏ । ମହାସ୍ନାନ ହେବାପରେ ଭଣ୍ଡାର ଘରୁ ଶୟନଠାକୁର ତିନିମୂର୍ତ୍ତି ତିନି ବାଡ଼କୁ ବିଜେ କରନ୍ତି । ବଡ଼ବାଡ଼ର ଶୟନଠାକୁର ହେଉଛନ୍ତି ବାସୁଦେବ । ମଝି ବାଡ଼ର ଠାକୁର ହେଉଛନ୍ତି ଭୁବନେଶ୍ଵରୀ । ମହାପ୍ରଭୁଙ୍କ ବାଡ଼ର ଶୟନଠାକୁର ହେଉଛନ୍ତି ନାରାୟଣ । ତିନିମୂର୍ତ୍ତି ଶୟନଠାକୁର ବିଜେ ପରେ ମହାସ୍ନାନ ବଢ଼େ । ଏହି ସମୟରେ ବଳଭଦ୍ର, ସୁଭଦ୍ରା, ଓ ଜଗନ୍ନାଥ ରଥ ଉପରେ ବିଜେ କରିଥା’ନ୍ତି ।ସର୍ବାଙ୍ଗଲାଗି, ନୂଆ ପତନିଲାଗି, ମାଳଫୁଲଲାଗି ଶେଷ ହେବା ପରେ ପାଣି ପଡ଼ ଟେରା ବନ୍ଧାଯାଏ । ବଡ଼ସିଂହାର ଭୋଗ ବଢ଼େ । ଏହି ପୂଜା ଷୋଡ଼ଶ ଉପଚାର ବିଧିରେ ହୋଇଥାଏ । ଭୋଗପରେ କର୍ପୂର ଆଳତି ବଢ଼େ । ତା’ପରେ ତିନିଠାକୁର ହାତରେ ବିଜେ ହୋଇ ଭଣ୍ଡାରଘର ଦ୍ଵାର ନିକଟକୁ ଯାତ୍ରା କରନ୍ତି । ଶୟନ ଘରେ ପୂର୍ବରୁ ଶେଯ, ଉପାଧାନ ପ୍ରଭୃତି ପ୍ରସ୍ତୁତି ହୋଇ ରହିଥାଏ । ଠାକୁରମାନେ ଏଥିରେ ଶୟନ କରନ୍ତି । ଏହାପରେ ପ୍ରସାଦ ଲାଗି, ପୁଷ୍ପାଞ୍ଜଳି, କର୍ପୂରଆଳତି ଓ ବନ୍ଦାପନା କରାଯାଇ ଶୟନଘରଦ୍ଵାର ମଦନମୋହନଙ୍କ ମୁଦରେ ମୁଦ ଦିଆଯାଇ ବନ୍ଦ କରାଯାଏ । ଶୟନ ଯାତ୍ରା ଦର୍ଶନ କଲେ ବହୁ ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।ଶ୍ରୀବଳଭଦ୍ର ଦେବଙ୍କ ରଥରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ରଥରେ ଶ୍ରୀନାରାୟଣ (ଶୟନ ଠାକୁର) ବିଜେ କରିବେ। ପୂଜାପଣ୍ଡା ଶୟନ ଠାକୁରମାନଙ୍କୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗକୁ ଲାଗି କରାଇବା ପରେ ରଥ ଉପରେ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ଅନ୍ୟାନ୍ୟ ନୀତି ବଢିଲା ପରେ ତିନିଜଣ ପୂଜାପଣ୍ଡା ତିନିରଥରେ ବିଜେ ହୋଇଥିବା ଶୟନ ଠାକୁରମାନଙ୍କୁ ହାତରେ ଧରି ମନ୍ଦିରର ଭଣ୍ଡାର ଦୁଆର ନିକଟକୁ ନେଇଥାନ୍ତି। ସେଠାରେ ପାରମ୍ପରିକ ରୀତି ଅନୁଯାୟୀ, ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଶୟନ ଘରେ ପୂର୍ବରୁ ପେଡ଼ି, ତାଟ, ଶେଯ, ମାଣ୍ଡି ପ୍ରସ୍ତୁତ ରହିଥାଏ। ଠାକୁରମାନେ ଏଥିରେ ଶୟନ କରନ୍ତି। ଏହି ସମୟରେ ପ୍ରସାଦଲାଗି, ପୁଷ୍ପାଞ୍ଜଳି, କର୍ପୂର ଆଳତି, ସାତକାହାଳୀ, ସଞ୍ଜବତୀ ଓ ଦୁର୍ବାକ୍ଷତ ବନ୍ଦାପନା ପରେ ପେଡ଼ି ବନ୍ଦ କରାଯାଏ। ପେଡ଼ି ଉପରେ ଖୋଳ ପକାଯାଏ। ଏସବୁ ସରି ସମସ୍ତେ ବାହାରକୁ ଆସିଲେ ଶୟନ ଘର ଦ୍ୱାର ମଦନମୋହନଙ୍କ ମୁଦରେ ମୁଦ ଦିଆଯାଇ ବନ୍ଦ କରାଯାଏ। ଏହି ସମୟରେ ଠାକୁରମାନେ ଦକ୍ଷିଣକୁ ମୁହଁ କରି ଶୟନ କରିଥାନ୍ତି। ହରିଶୟନ ଏକାଦଶୀଠାରୁ ଚର୍ତୁମାସ ବ୍ରତ ଆରମ୍ଭ ହୋଇଥାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |