ଭୁବନେଶ୍ୱର,୮।୭ :ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ। 6 ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନ୍ଦୋଳନ ହେଉଥିବାବେଳେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ଆନ୍ଦୋଳନରେ ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ ହେଉଛି। ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପରିଲକ୍ଷିତ ହେଉଥିବାବେଳେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ମଙ୍ଗଳବାର ଷ୍ଡିଅରିଂ ଛାଡ଼ ଆନ୍ଦୋଳନ। ଅଟୋ ଡ୍ରାଇଭରମାନଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ୍ ଓ୍ବାର୍କର୍ସ ଓ୍ବେଲ୍ଫେୟାର ବୋର୍ଡରେ ସାମିଲ କରିବାକୁ ମଞ୍ଚ ଦାବି କରିଛି। ଏଥିସହ ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ଗାଡ଼ିଗୁଡ଼ିକ ପାର୍କିଂ ଓ ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ପାର୍କିଂ ସହ ବିଶ୍ରାମାଗାର ଏବଂ ଶୌଚାଳୟ ବ୍ୟବସ୍ଥା, ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଓ କାରଖାନା ଗୁଡ଼ିକରେ ୭୦% ରାଜ୍ୟ ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯିବା ଏବଂ ସେପ୍ଟେମ୍ବର ୧କୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରିବା ଦାବି ରହିଛି। ଗତ ଜୁନ ୯ରେ ମହାମଞ୍ଚ ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇ ଉପରୋକ୍ତ ୬ଟି ଦାବି ଉପସ୍ଥାପନା କରାଯାଇଥିଲା। ରାଜ୍ୟ ସରକାର ମଞ୍ଚର ଏହି ଦାବିଗୁଡିକ ପୂରଣ ନ କଲେ ଜୁଲାଇ ୮ରେ ରାଜ୍ୟବ୍ୟାପୀ ମଞ୍ଚର ଡ୍ରାଇଭରମାନେ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଥିଲା। ଏହିକ୍ରମରେ ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏକତା ମହାମଞ୍ଚ ଜରିଆରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ଡ୍ରାଇଭର ମହାସଙ୍ଘର ସଭାପତି ପ୍ରଶାନ୍ତ ମେଣ୍ଡୁଳି ଫେସ୍ବୁକ ଜରିଆରେ ସୂଚନା ଦେଇଛନ୍ତି।ଅନ୍ୟପକ୍ଷରେ ଏହି ଆନ୍ଦୋଳନକୁ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି। ମଞ୍ଚ କହିଛି, ରାଜ୍ୟରେ ୩୫ଟି ସଂଘ ଥିବାବେଳେ ଗୋଟିଏ ସଂଘ ବନ୍ଦ ଡାକରା ଦେଇଛି। କୌଣସି ଡ୍ରାଇଭର କିମ୍ବା ଟ୍ରାନ୍ସପୋର୍ଟ ୱାର୍କର୍ସ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରୁନାହିଁ। ସରକାର ସୁରକ୍ଷା ଦେଲେ ଯାନବାହନ ଚଳାଚଳ ସ୍ବାଭାବିକ ରହିବ ବୋଲି ମିଳିତ ମଞ୍ଚ ସାଂଗଠନିକ ସମ୍ପାଦକ ସନ୍ତୋଷ ସାହୁ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |