କେନ୍ଦୁଝର,୧୩ା୮ : ରାଜସ୍ବ ଅମଲାମାନଙ୍କ ସାମୁହିକ ଛୁଟି ଆଜି ତୃତୀୟ ଦିବସରେ ପହଞ୍ଚିଲା। କେନ୍ଦୁଝରରେ ଏହି ଆନ୍ଦୋଳନ ଯୋଗୁ ବିଭିନ୍ନ ଜିଲାର ସମସ୍ତ ବ୍ଲକ, ତହସିଲ, ICDS, ITDA,RTO ପ୍ରଭୃତି ଗୁଡ଼ିକରେ ସମସ୍ତ ପ୍ରକାର କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି।୧୦ ଦଫା ଦାବିରେ ସୋମବାରଠାରୁ ଓଡ଼ିଶା ରାଜସ୍ବ ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛି। ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛି ସଂଘ। ସାମୁହିକ ଛୁଟିରେ ରହିବା ସହ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି ଅମଲା କର୍ମଚାରୀ। ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅମଲାଙ୍କ ମୂଳ ଦରମା ଲେଭଲ୍ ନାଇନ୍ କରିବା ସହ ସ୍ବାସ୍ଥ୍ୟ ବୀମା ୨୦ ଲକ୍ଷକୁ ବୃଦ୍ଧି, ୪ ବର୍ଷରେ ପଦୋନ୍ନତି, ନୂଆ ପେନସନ୍ ଯୋଜନା ରଦ୍ଦ କରି ପୁରୁଣା ପେନସନ୍ ଯୋଜନା ଲାଗୁ ଭଳି ୧୦ ଦଫା ଦାବି ରଖିଛନ୍ତି । ପୂର୍ବରୁ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ୮ତାରିଖ ସୁଦ୍ଧା ସରକାର କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରିନଥିବାରୁ ୧୧ତାରିଖରୁ ସମଗ୍ର ରାଜ୍ୟର ଅମଲା ମାନେ ସମୂହ ଛୁଟିରେ ଯାଇ ପ୍ରତିବାଦ କରିଛନ୍ତି।ଏଥିରେ ସରକାର ଭୟଭୀତ ହୋଇ ଛୁଟିକୁ ବାତିଲ କରିବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏଥିରେ ରାଜ୍ୟର ୩୦ଟି ଜିଲାର ନେତୃମଣ୍ଡଳୀଙ୍କୁ ନେଇ ଏକ ଆଭାସି ବୈଠକ ହୋଇଥିଲା। ବୈଠକରେ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ଘର ନିନ୍ଦା କରାଯିବା ସଙ୍ଗେସଙ୍ଗେ ଏହା ଏକ ଦୁର୍ଭାଗ୍ୟଜନକ ଓ ମନ୍ତ୍ରୀଙ୍କର ଉକ୍ତି ସମସ୍ତ ରାଜସ୍ବ ଅମଲାଙ୍କୁ ଏକ କଟାକ୍ଷ ବୋଲି ମତ ପ୍ରକାଶ ପାଇଥିଲା ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଏହା ପରେ ପରେ ସମସ୍ତ ଜିଲାର ଅମଲାଙ୍କୁ ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ମତାମତ ଲୋଡ଼ା ଯାଇଥିଲା। ସମସ୍ତ ଜିଲାର ଅମଲାମାନେ ସରକାର ଯେକୌଣସି ପଦକ୍ଷେପ ନେଲେ ମଧ୍ୟ ଯେ ପର୍ଯ୍ୟନ୍ତ LEVEL-୯ ଓ ପଦବୀ ପୁନର୍ଗଠନ ନହେଇଛି ସେପର୍ଯ୍ୟନ୍ତ କେହି କାର୍ଯ୍ୟରେ ଯୋଗ ନ ଦେବା ପାଇଁ ସହମତି ଦେଇଥିଲେ ବୋଲି କୁହାଯାଇଛି। କେନ୍ଦୁଝର ଜିଲା ମଧ୍ୟ ଏଥିରେ ସହମତି ପ୍ରକାଶ କରି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ଏବଂ ପୂର୍ବପରି ଆନ୍ଦୋଳନ ଯେପରି ଚାଲୁ ରହିଥିଲା। ଠିକ୍ ସେମିତି ଆନନ୍ଦପୁର, ଚମ୍ପୁଆ ଓ ଜିଲା ମୁଖ୍ୟାଳୟରେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ସଭାପତି ଜିତେନ୍ଦ୍ର ମହାପାତ୍ର, ସମ୍ପାଦକ ପ୍ରଭାତେନ୍ଦୁ ନାୟକ, ମିଡିଆ ସଂଯୋଜକ ପୀତବାସ ମହାନ୍ତ, କାର୍ଯ୍ୟକାରୀ ସଭାପତି ସଚିନ କୁମାର ପଣ୍ଡା, ମିନତୀ ସାହୁ, ଉପଦେଷ୍ଟା ଭୁବନେଶ୍ୱର ମହାପାତ୍ର, କୈଳାସ ଚନ୍ଦ୍ର ମଲ୍ଲିକ, ସନ୍ତୋଷ କୁମାର ରଣା, ପ୍ରଭାତୀ ପ୍ରଧାନ, ଗୌରାଙ୍ଗ ଚରଣ ଜେନା ପ୍ରମୁଖ ପ୍ରକାଶ କରିଛନ୍ତି।ଅମଲା ସଙ୍ଘର ସମୂହ ଛୁଟିରୁ ଓହରିବାକୁ ରାଜସ୍ବମନ୍ତ୍ରୀଙ୍କ ନିବେଦନ। ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକ ପଦକ୍ଷେପ ନେବେ ସରକାର । କାମ ନ ହେଲେ ଦରମା ବନ୍ଦ । ବସିକି ସମାଧାନ କଲେ ସମାଧାନ ବାହାରିବ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । କ୍ୟାଡର ପୁନଗଠନ କଥା ରାଜସ୍ବ ବିଭାଗ ଅଧୀନ ନୁହେଁ । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପାଖକୁ ପଠାଯାଇଛି । ଅପେକ୍ଷା ନ କରି ସମୂହ ଛୁଟି ଗ୍ରହଣୀୟ ନୁହେଁ । ଜିଲ୍ଲାପାଳଙ୍କୁ ନିର୍ଦେଶ ଯାଇଛି ଛୁଟି ବାତିଲ ହେବ । ଛୁଟି ମଞ୍ଜୁର ହେବନି ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |