ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ମହାଭିଯୋଗ ଆଣିବେ ବିରୋଧୀ

ନୂଆଦିଲ୍ଲୀ,୧୮।୮:  ଭୋଟ୍ ଚୋରି’ ଅଭିଯୋଗକୁ ନେଇ ବିରୋଧୀ ଇଣ୍ଡିଆ ମେଣ୍ଟ ନିର୍ବାଚନ କମିସନଙ୍କୁ ବାରମ୍ବାର ଟାର୍ଗେଟ କରିଚାଲିଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନରଙ୍କ ଉପରେ ଭୋଟ ଚୋରିର ଲଗାତାର ଅଭିଯୋଗ କରୁଛନ୍ତି । ନିର୍ବାଚନ କମିଶନର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ରାହୁଲ ଯେଉଁ ଅଭିଯୋଗ ଆଣିଛନ୍ତି ତା’ର ପ୍ରମାଣ ସହିତ ସତ୍ୟପାଠ ୭ଦିନ ମଧ୍ୟରେ ଦେବେ, ଅନ୍ୟଥା ତାଙ୍କ ଅଭିଯୋଗକୁ ମିଥ୍ୟା ବୋଲି ବିବେଚନା କରିବା ସହ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗିବେ ବୋଲି କୁହାଯାଇଛି ।କଂଗ୍ରେସ ରାଜ୍ୟସଭା ସାଂସଦ ସୟଦ ନାସିର ହୁସେନ କହିଛନ୍ତି ଯେ ଦଳ ଗଣତନ୍ତ୍ରର ସମସ୍ତ ସାମ୍ବିଧାନିକ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ। ସେ କହିଛନ୍ତି, ‘ଯଦି ଆବଶ୍ୟକ ହୁଏ, ଆମେ ଗଣତନ୍ତ୍ର ଅଧୀନରେ ଉପଲବ୍ଧ ସମସ୍ତ ଅସ୍ତ୍ର ବ୍ୟବହାର କରିବୁ। ମହାଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନାହିଁ, କିନ୍ତୁ ଯଦି ଆବଶ୍ୟକ ହୁଏ, ଆମେ କିଛି ବି କରିପାରିବୁ।’ମୁଖ୍ୟ ନିର୍ବାଚନ କମିସନର (ସିଇସି) ଏବଂ ନିର୍ବାଚନ କମିସନରମାନଙ୍କୁ ଅପସାରଣ କରିବାର ପ୍ରକ୍ରିୟା ଭାରତୀୟ ସମ୍ବିଧାନରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ସମ୍ବିଧାନର ଧାରା ୩୨୪ ନିର୍ବାଚନ କମିସନକୁ ଏକ ସ୍ୱାଧୀନ ଅନୁଷ୍ଠାନର ମାନ୍ୟତା ଦିଏ। ମୁଖ୍ୟ ନିର୍ବାଚନ କମିସନରଙ୍କୁ ଅପସାରଣ କରିବାର ପ୍ରକ୍ରିୟା ସୁପ୍ରିମକୋର୍ଟର ବିଚାରପତିଙ୍କ ପରି ସମାନ। ଏହାର ଅର୍ଥ ହେଉଛି ତାଙ୍କୁ କେବଳ ମହାଭିଯୋଗ ମାଧ୍ୟମରେ ଅପସାରଣ କରାଯାଇପାରିବ। କିନ୍ତୁ ବିରୋଧୀ ମେଣ୍ଟଙ୍କ ପାଖରେ ମହାଭିଯୋଗ ପ୍ରସ୍ତାବ ଗୃହୀତ କରିବାକୁ ଆବଶ୍ୟକ ସଂଖ୍ୟାବଳ ନାହିଁ । ଏବେ ବିରୋଧୀ ଦଳ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ସୋମବାର ସଂସଦ ଭବନରେ ଇଣ୍ଡି ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଛି । ସୂତ୍ର ଅନୁସାରେ ନିର୍ବାଚନ କମିଶନରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଉପରେ ବୈଠକରେ ସର୍ବସମ୍ମତି ହୋଇଛି । ଏହା ବ୍ୟତୀତ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଭୋଟ ଚୋରି ବିରୋଧରେ ପ୍ରତିବାଦ ଜାରି ରହିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!