ସମ୍ବଲପୁର ,୨୪।୮: ନୂଆଁଖାଇ ପାଇଁ ମା’ ସମଲେଇଙ୍କ ମନ୍ଦିରକୁ ଆସିଲା ନୂଆ ଧାନ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇରେ ଅଧିଷ୍ଟାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ପାଖରେ ଏହି ସରିଆ ଧାନରୁ ପ୍ରସ୍ତୁତ ଅନ୍ନ ମା’ଙ୍କ ପାଖରେ ନୂଆଁଖାଇରେ ଲାଗି ହେବ । ବଳବସପୁର ଗ୍ରାମର ସୁବାଷ ବେହେରା ସମଲେଶ୍ଵରୀ ମନ୍ଦିର ପହଞ୍ଚି ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କୁ ପ୍ରଦାନ କରିଛନ୍ତି ।ଚଳିତ ଅଗଷ୍ଟ ମାସ ୨୮ ତାରିଖରେ ନୂଆଁଖାଇ ପର୍ବ ପାଳନ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ଠାରେ ଦିନ ୧୦ଟା ୩୩ମିନିଟ୍ରୁ ୧୦ଟା ୫୫ ମିନିଟ୍ ମଧ୍ୟରେ ଲାଗି ହେବ ନବାନ୍ନ । ନୂଆଁଖାଇରେ ସବୁ ନୂଆ ହେଉଥିବା ବେଳେ ନୂଆ ଧାନ ବେଶୀ ଆବଶ୍ୟକ ହୋଇଥାଏ । ଏହି ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଇଷ୍ଟ ଦେବୀଙ୍କ ଠାରେ ଅର୍ପଣ କରିବାର ବିଧି ରହିଛି । ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରକୁ ନୂଆଁଖାଇ ପାଇଁ ଶନିବାର ଆସିଛି ନୂଆ ଧାନ । ୬୦ ଦିନରେ ଅମଳ ହେଉଥିବା ଏହି ଧାନକୁ କ୍ଷତରେ ପୂଜାର୍ଚ୍ଚନା କରି କାଟିବା ପରେ ମା’ ସମଲେଶ୍ବରୀଙ୍କ ମନ୍ଦିରକୁ ଆସି ମୁଖ୍ୟ ପୂଜକଙ୍କୁ ଅର୍ପଣ କରିଥିଲେ ବଲବସପୁରର ଚାଷୀ ସୁବାସ ବେହେରା । ଚାଷୀ ସୁବାସ ବେହେରା କହିଛନ୍ତି, ‘ମା’ ସମଲେଶ୍ବରୀଙ୍କୁ ବର୍ଷର ପ୍ରଥମ ଉତ୍ପାଦିତ ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଅର୍ପଣ କରିବାର ବିଧି ରହିଛି । ସେଥିପାଇଁ ବହୁତ ବର୍ଷ ହେବ ମା’ ସମଲେଶ୍ବରୀଙ୍କ ପାଖରେ ନୂଆ ଧାନ ଦେଇ ଆସୁଛି । ପୂଜକ ଅମ୍ବିକା ରାୟଙ୍କ ଅନୁଯାୟୀ, ଗଣପର୍ବ ନୂଆଁଖାଇରେ ସବୁ ନୂଆ ହେଉଥିବା ବେଳେ ନୂଆ ଧାନର ଆବଶ୍ୟକତା ସବୁଠୁ ଅଧିକ । ବର୍ଷର ପ୍ରଥମ ଉତ୍ପାଦିତ ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ନୂଆଁଖାଇରେ ଇଷ୍ଟ ଦେବୀଙ୍କ ଠାରେ ଲାଗି କରାଯାଏ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |