ରାୟଗଡା,୧୩।୧୦: ରାୟଗଡ଼ା ନିଉ କଲୋନୀସ୍ଥିତ ମାଁ ଗଜଲକ୍ଷ୍ମୀ ପୂଜା କମିଟିର ୩୦ତମ ପୂଜା ଉତ୍ସବ ଏବଂ ସ୍ଥାନୀୟ ରାମକୃଷ୍ଣ ନଗର ଗଜଲକ୍ଷ୍ମୀ ପୂଜା ପାଇଁ ସହର ଚଳଚଞ୍ଚଳ। ଦୁର୍ଗା ପୂଜା ପରେ ଗଜଲକ୍ଷ୍ମୀ ପୂଜା ପାଇଁ ପୁଣି ସହର ଉତ୍ସବ ମୁଖର ହୋଇଛି। ଆଜି ଠାରୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ମାଁଆଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ। ଆଜି ସଂଧ୍ୟାରେ ଜଳଯାତ୍ରା ପରେ ମାଆଙ୍କୁ ଆବାହନ କରାଯାଇ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଶହ ଶହ ସହରବାସୀ ଓ ପୂଜା କମିଟିର ସଦସ୍ୟମାନେ ଯୋଗ ଦେଇ ମାତୃକୃପା ଲାଭ କରିଛନ୍ତି। ଆସନ୍ତାକାଲି ଠାରୁ ୧୭ ତାରିଖ ଯାଏ ପ୍ରତିଦିନ ସକାଳେ ଓ ସଂଧ୍ୟାରେ ସୂର୍ଯ୍ୟପୂଜା, ଷୋଢଶ ଉପଚାର ପୂଜା, ହୋମ ଯଜ୍ଞ, ସଂଧ୍ୟା ଆଳତୀ, ପୁଷ୍ପାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା ୧୭ ତାରିଖରେ ଅପରାହ୍ନରେ ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ କରାଯିବ। ସେହିଦିନ ସଂଧ୍ୟାରେ ଭସାଣୀ ଉତ୍ସବ ଓ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ ନେଇ ପୂଜା କମିଟି ନିଷ୍ପତ୍ତି ନେଇଛି। ପ୍ରତିଦିନ ସଂଧ୍ୟାରେ ମେଲୋଡି, ଭଜନ ସମାରୋହ, ମୁଜିକାଲ ନାଇଟ୍ ଆଦି କାର୍ଯ୍ୟକ୍ରମ ଆୟୋଜନା କରାଯାଉଛି। ଏହି କାର୍ଯ୍ୟକ୍ରମରେ ସଭାପତି ସନ୍ତୋଷ କୁମାର ପାତ୍ର, ସମ୍ପାଦକ ଏନ୍.ତ୍ରିନାଥ ରାଓ, ଉପଦେଷ୍ଟା ସବ୍ୟସାଚୀ ସାହୁ, ରାମପ୍ରସାଦ ପାତ୍ର, ଉପସଭାପତି ବିନୋଦ ସାହୁ, କୋଷାଧ୍ୟକ୍ଷ ଦିଲୀପ ସାହୁ, ସାଙ୍ଗଠନିକ ସମ୍ପାଦକ ସନ୍ତୋଷ କୁମାର ବ୍ରହ୍ମା, ପୂଜା ସମ୍ପାଦକ ଲକ୍ଷ୍ମୀକାନ୍ତ ଦାଶ ଓ ସୁରେଶ ଚନ୍ଦ୍ର ସାମନ୍ତରାୟଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଗତ ୧୮ ତାରିଖରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |