ନୂଆଦିଲ୍ଲୀ,୧୩।୧୦:ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିଛି। ସେମାନେ ହେଲେ ଜୋଏଲ ମୋକିର, ଫିଲିପ ଆଘିଅନ ଏବଂ ପିଟର ହାଓ୍ବିଟ। ‘ଅଭିନବୀକରଣ ଆଧାରିତ ଅର୍ଥନୈତିକ ଅଭିବୃଦ୍ଧି’ ଉପରେ ବିଶ୍ଳେଷଣ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବିଜେତାମାନଙ୍କୁ ୧୧ ନିୟୁତ ସ୍ଵେଡିଶ କ୍ରନର ପ୍ରଦାନ କରାଯିବ। ସେଥିରୁ ଜୋଏଲ ମୋକିରଙ୍କୁ ଅଧା ଏବଂ ଅନ୍ୟ ୨ ଜଣଙ୍କୁ ଅଧା ଅର୍ଥ ପୁରସ୍କାର ବାବଦରେ ପ୍ରଦାନ କରାଯିବ। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ଆଜି ସେମାନଙ୍କ ନାଁ ଘୋଷଣା କରାଯାଇଛି । ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଆମେରିକାର ହୋଇଥିବାବେଳେ ଜଣେ ବ୍ରିଟେନର ।ଜୋଏଲ ମୋକିର ଆମେରିକାର ଇଭାଷ୍ଟନସ୍ଥିତ ନର୍ଥ-ଓ୍ବେଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରୁଥିବାବେଳେ ପିଟର ହାଓ୍ବିଟ ଆମେରିକାର ବ୍ରାଉନ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି । ଅନ୍ୟପକ୍ଷରେ ଫିଲିପ ଆଘିଅନ ବ୍ରିଟେନର ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ଏଣ୍ଡ ପଲିଟିକାଲ ସାଇନ୍ସେସରେ ଅଧ୍ୟାପନା କରୁଛନ୍ତି ।ଏହି ତିନି ଅର୍ଥନୀତିଜ୍ଞ ଉଦ୍ଭାବନ ଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଉଲ୍ଲେଖନୀୟ ଗବେଷଣା କରିଛନ୍ତି ବୋଲି ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ପକ୍ଷରୁ ଘୋଷଣା କରାଯାଇଛି । ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରିବା ଏହି ପୁରସ୍କାରର ପ୍ରତିଷ୍ଠାତା ସାର ଆଲଫ୍ରେଡ ନୋବେଲଙ୍କ ମୂଳ ଇଚ୍ଛାପତ୍ର ବା ଓ୍ବିଲରେ ନଥିଲା । ଏହି ପୁରସ୍କାର ପ୍ରଦାନ କରିବାକୁ ୧୯୬୮ ମସିହାରେ ସ୍ବୀଡେନର କେନ୍ଦ୍ରୀୟ ବ୍ୟାଙ୍କ (ସ୍ବେରିଜେସ ରିକସବ୍ୟାଙ୍କ) ପକ୍ଷରୁ ପ୍ରତଷ୍ଠା କରାଯାଇଥିଲା ଓ ପ୍ରଥମ ଥର ପାଇଁ ୧୯୬୯ରେ ପ୍ରଦାନ କରାଯାଇଥିଲା । ଏହାକୁ “ସ୍ବେରିଜେସ ରିକସବ୍ୟାଙ୍କ ପୁରସ୍କାର ଅର୍ଥନୀତି ବିଜ୍ଞାନରେ, ଆଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ” ବୋଲି ଆଧିକାରିକ ଭାବେ କୁହାଯାଏ। ଏହି ପୁରସ୍କାର ପ୍ରତିବର୍ଷ ସେହି ବ୍ୟକ୍ତିମାନଙ୍କୁ ଦିଆଯାଏ ଯେମାନେ ଅର୍ଥନୀତି ବିଜ୍ଞାନର ମାନବଜୀବନରେ ପ୍ରୟୋଗ, ବିକାଶ ଓ ଅବଦାନରେ ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |