ଗାଜାରେ ଶାନ୍ତି ଫେରିଲା

ନୂଆଦିଲ୍ଲୀ .୧୪/୧୦:  ହମାସ ଓ ଇସ୍ରାଏଲ ମଧ୍ୟରେ ପ୍ରାୟ ୨ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆଜି ଇସ୍ରାଏଲକୁ ଏକ ସ୍ବତନ୍ତ୍ର ଗସ୍ତରେ ଟ୍ରମ୍ପ ଯିବା ସହ ସଂସଦ ନେସେଟ୍‌ରେ ଉଦ୍‌ବୋଧନ ଦେଇଛନ୍ତି। ସାଂସଦମାନଙ୍କୁ ଉଦ୍‌ବୋଧନ ଦେଇ ଟ୍ରମ୍ପ କହିଛନ୍ତି, ଦୀର୍ଘ ଏବଂ ଯନ୍ତ୍ରଣାଦାୟକ ଦୁଃସ୍ବପ୍ନରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମଧ୍ୟପ୍ରାଚ୍ୟରେ ନୂଆ ପ୍ରଭାତର ଏହା ଐତିହାସିକ କ୍ଷଣ ବୋଲି ସେ କହିଛନ୍ତି। ଗାଜାରେ ଲାଗି ରହିଥିବା ଯୁଦ୍ଧର ଅସ୍ତ୍ରବିରତି କ୍ରମରେ ସୋମବାର ହମାସ ଆତଙ୍କବାଦୀ ସଂଗଠନ ନିଜ କବ୍‌ଜାରେ ରଖିଥିବା ୨୦ଜଣ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର କହିବା ଅନୁଯାୟୀ ମୁକ୍ତ ପଣବନ୍ଦୀମାନେ ଇସ୍ରାଏଲରେ ପହଞ୍ଚିଛନ୍ତି। ଏହି ପଣବନ୍ଦୀ ମୁକ୍ତି ପ୍ରତିବଦଳରେ ଇସ୍ରାଏଲ ୧୯୦୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଏହି ବନ୍ଦୀ ଅଦଳବଦଳ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। ଆଇଡିଏଫ୍ କହିଛି ଯେ ସମସ୍ତ ପଣବନ୍ଦୀ ଦେଶକୁ ଫେରିଆସିଛନ୍ତି। ସେମାନଙ୍କୁ ଦେଶବାସୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ଅନ୍ୟପଟେ ପ୍ରାଣ ହରାଇଥିବା ୨୮ ପଣବନ୍ଦୀଙ୍କ ମୃତଦେହକୁ ମଧ୍ୟ ହମାସ ଫେରାଇବ। ମାତ୍ର ଏଥିପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ତେବେ ଦୁଇଜଣ ପଣବନ୍ଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ଯେଉଁମାନଙ୍କ ସମ୍ପର୍କରେ ସୂଚନା ମିଳି ନାହିଁ ସେମାନେ ହେଲେ ବିପିନ ଜୋଷୀ ଓ ତମିର। ସେମାନେ ଜୀବିତ କିମ୍ବା ମୃତ ତାହା ମଧ୍ୟ ଜଣାପଡି ନାହିଁ। ସେମାନଙ୍କ ସମ୍ପର୍କରେ ଇସ୍ରାଏଲ ଓ ହମାସ ପାଖରେ ସୂଚନା ନାହିଁ।ପଣବନ୍ଦୀ ମୁକ୍ତି ଅବସରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଏଲର ପାର୍ଲାମେଣ୍ଟ (ନେସେଟ୍‌)କୁ ସମ୍ବୋଧନ କରିଥିଲେ। ଟ୍ରମ୍ପ କହିଥିଲେ ଯେ ଆଜିର ଦିନଟି ବଡ ଆନନ୍ଦର ଦିନ। ଏହା ଏକ ବଡ ଆଶାକୁ ଉଜ୍ଜୀବିତ କରିଛି। ପଣବନ୍ଦୀଙ୍କ ମୁକ୍ତି ସହିତ ଆତଙ୍କବାଦର ଯୁଗ ଶେଷ ହୋଇଛି। ଇସ୍ରାଏଲ ଓ ମଧ୍ୟପ୍ରାଚ୍ୟ ପାଇଁ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି। ଗାଜାରେ ଅସ୍ତ୍ରବିରତି କାର୍ଯ୍ୟକାରୀ କରିଥିବାରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଟ୍ରମ୍ପ ପ୍ରଶଂସା କରିଥିଲେ। ଭାଷଣ କାଳରେ ନେତାନ୍ୟାହୁଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ସବୁକୁ କ୍ଷମା କରିଦେବା ଲାଗି ଟ୍ରମ୍ପ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହେରଜୋଗଙ୍କୁ କହିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!