ନୂଆପଡ଼ା,୧୦।୧୧: ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହେବ। ଏହି ନିର୍ବାଚନମଣ୍ଡଳୀରେ ମୋଟ ୩୫୮ଟି ବୁଥ ରହିଥିବାବେଳେ ସେଥିମଧ୍ୟରୁ ୧୦୧ ଗୁରୁତ୍ୱପୂର୍ଣ୍ଣ ବୁଥ୍। ଏହି ୧୦୧ ବୁଥ୍ ମଧ୍ୟରୁ ୪୭ ମାଓବାଦୀ ପ୍ରଭାବିତ ଅଞ୍ଚଳରେ, ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳରେ ରହିଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ବୁଥ୍ ମଧ୍ୟରୁ ୮ଟି ଦୁର୍ଗମ ପାହାଡ଼ ଅଞ୍ଚଳରେ ରହିଛି। ସେଗୁଡ଼ିକ ହେଲା, ୩୨୦ ସୋସେଙ୍ଗ, ୩୨୧ ସୋସେଙ୍ଗ-୨, ୩୨୨ ଦେଓସିଲ, ୩୨୪ ସୁନାବେଡ଼ା-୧, ୩୨୫ ସୁନାବେଡ଼ା-୧(କ), ୩୨୬ ଜାମଗାଁ, ୩୨୭ ଗତିବେଡା ଓ ୩୨୮ ଗତିବେଡା-୨। ଏହିସବୁ ଭୋଟ କେନ୍ଦ୍ରକୁ ପୋଲିଂ ପାର୍ଟି ହେଲିକପ୍ଟର ଯୋଗେ ଯାଇ ଭୋଟ ଗ୍ରହଣ କରିବେ। ୮ଟି ବୁଥ ପାଇଁ ୪୮ ଜଣ ପୋଲିଂପାର୍ଟି ଯିବେ। ସେଠାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଅନ୍ୟ ସାଧାରଣ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିବ।ସେହିପରି ମତଦାନକୁ ସୁରୁଖୁରୁରେ ସାରିବା ପାଇଁ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇଛି। ଇଭିଏମ୍ ଗୁଡ଼ିକର ଯାଞ୍ଚ କରାଯାଇଛି। ଇଭିଏମରେ କେମିତି ମତଦାନ କରାଇବେ ପୋଲିଂ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ଆଜି ବୁଥ୍ ଅଭିମୁଖେ ବାହାରିବେ ପୋଲିଂ ପାର୍ଟି। ରାଜ୍ୟରେ ପ୍ରଥମ ଥର ଲାଗି ସମ୍ବେଦନଶୀଳ ୮ଟି ବୁଥକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି। ନୂଆପଡ଼ାର ଅଢ଼େଇ ଲକ୍ଷ ଭୋଟର ନେତା ବାଛିବେ। ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମୋଟ ୩୫୮ ବୁଥ୍ ରେ ଭୋଟ ଗ୍ରହଣ କରାଯିବ। ୩୧୧ ବୁଥରେ ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ ସମୟ ରହିଛି। ଅବଶିଷ୍ଟ ୪୭ ବୁଥରେ ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୪ରେ ସରିବ। ସୁରକ୍ଷାକୁ ଦେଖି ଅତି ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ଅପରାହ୍ଣ ୪ଟାରେ ମତଦାନ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ସୁନାବେଡା ଅଞ୍ଚଳର ମାଓବାଦୀ ପ୍ରଭାବିତ ବୁଥ୍ ପାଇଁ ପୋଲିଂ ପାର୍ଟିକୁ ଭାରତୀୟ ବାୟୁସେନାର ବିମାନରେ ନିଆଯିବ । ଡିସ୍ପୋଜାଲ ସେଣ୍ଟରରେ ଅଛି ଇଭିଏମ ମେସିନ। ଆଜି ଏଠାରୁ ପୋଲିଂ ସେଣ୍ଟର ଯିବେ ପୋଲିଂ ଅଧିକାରୀ। ନୂଆପଡା ବିଧାନ ସଭାର ସର୍ବମୋଟ ଭୋଟର ସଂଖ୍ୟା ୨ଲକ୍ଷ ୫୩ ହଜାର ୬୨୪। ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮, ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ଏବଂ ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ୨୧। ଭୋଟର୍ ମାନଙ୍କ ମଧ୍ୟରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ସଂଖ୍ୟା ୧୭୮୬, ନୂଆ ଭୋଟର୍ ୯୪୨୯ ଏଵଂ ଦିବ୍ୟାଙ୍ଗ ଭୋଟର୍ ୩୯୮୮ ଜଣ ଅଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |