ନୂଆପଡ଼ା ଉପନିର୍ବାଚନ , ୮୩, ୭୪୮ ଭୋଟରେ ଜିତିଲେ ଜୟ ଢୋଲକିଆ

ନୂଆପଡ଼ା,୧୪।୧୧: ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ। ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା। ନୂଆପଡ଼ାବାସୀ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ରେକର୍ଡ ୮୩ ପ୍ରତିଶତ ମତଦାନ ଦେଇଥିଲେ। ସର୍ବାଧିକ ଭୋଟ୍ ହାରର ଫାଇଦା ବିଜେପିକୁ ମିଳିଛି। ଉଲ୍ଲେଖନୀୟ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ପ୍ରଥମେ ବାଲାଟ୍ ପେପର ଗଣତି କରାଯିବା ପରେ ସାଢେ ୮ଟାରୁ ଇଭିଏମ ପେଡ଼ି ଖୋଲିଥିଲା।ବିଜେଡି ହାତରୁ ଖସିଲା ନୂଆପଡ଼ା ସିଟ୍। କାମ ଦେଲାନି ନବୀନ ପଟ୍ଟନାୟକଙ୍କ ମ୍ୟାଜିକ।ଓଡ଼ିଶାର ଉପନିର୍ବାଚନ ଇତିହାସରେ ସବୁଠୁ ବଡ଼ ବିଜୟ ହାସଲ କରିଛି ଶାସକ ଭାରତୀୟ ଜନତା ପାର୍ଟି। ପ୍ରାର୍ଥୀ ଜୟ ଢୋଲକିଆ ୮୩ ହଜାର ୭୪୮ ଭୋଟରେ ଜିତିଛନ୍ତି। ୨୯ ରାଉଣ୍ଡ ଗଣତି ପରେ ଜୟଙ୍କୁ ଏକ ଲକ୍ଷ ୨୩ ହଜାର ୮୪୯ ଭୋଟ୍ ମିଳିଛି। ଦ୍ଵିତୀୟରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ତାଙ୍କୁ ୪୦ ହଜାର ୧୨୧ ଭୋଟ୍ ମିଳିଛି। ତୃତୀୟରେ ଥିବା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୮ ହଜାର ୪୦୮ ଭୋଟ୍।ଫଳାଫଳ ସହ ନୂଆପଡ଼ା ଉପନିର୍ବାଚନରେ ସବୁ ଆକଳନ ଭୁଲ ପ୍ରମାଣିତ ହୋଇଛି। କାରଣ ଖୋଦ୍ ବିଜେପି ମଧ୍ୟ ଆଶା କରି ନ ଥିଲା ଯେ, ତାଙ୍କ ଦଳ ଏମିତି ବିଜୟ ହାସଲ କରିବ। ଦଳ ୫୦ ହଜାର ଭୋଟରେ ଜିତିବ ବୋଲି ଦଳର ନେତା ପୂର୍ବରୁ କହିଥିଲେ। ହେଲେ ନୂଆପଡ଼ାବାସୀ ଜୟଙ୍କୁ ବମ୍ପର ଭୋଟ୍ ଦେଇ ଜୟଯୁକ୍ତ କରାଇଛନ୍ତି। ଆଉ ନବୀନ ମ୍ୟାଜିକ ମଳିନ ପଡ଼ୁଥିବା ଦେଖିବାକୁ ମିଳିଛି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆକୁ ନୂଆପଡ଼ା ଭୋଟର ତୃତୀୟ ସ୍ଥାନରେ ରଖିଛନ୍ତି। ତେବେ ୨୦୨୪ ନିର୍ବାଚନରେ ୫୧ ହଜାର ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ଥିବା ଘାସିରାମ ମାଝୀ ଉପନିର୍ବାଚନରେ ନିଜର ସେତିକି ଭୋଟ୍ ବି ବଞ୍ଚାଇ ପାରି ନାହାନ୍ତି।ଅନ୍ୟପଟେ ଜୟ ଢୋଲକିଆ ନିଜ ବାପା ରାଜେନ୍ଦ୍ର ଢୋଲକିଆ ୨୦୨୪ରେ ପାଇଥିବା ୬୧ ହଜାର ୮୨୨ ଭୋଟଠୁ ୫୦ ହଜାରରୁ ଅଧିକ ଭୋଟ୍ ପାଇଛନ୍ତି। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ପାର୍ଟିରେ ମିଶାଇବାର ସୁଫଳ ଦଳକୁ ମିଳିଛି। ଅନୁକମ୍ପାମୂଳକ ଭୋଟ୍ ହାତେଇବା ସହ ୨୦୨୪ରେ ପାଇଥିବା ୪୪ ହଜାର ୮୧୪ ଖଣ୍ଡ ଭୋଟ୍ ପାଇ ଐତିହାସିକ ବିଜୟ ହାସଲ କରିଛି ବିଜେପି। ଜୟଙ୍କ ବମ୍ପର ବିଜୟ ପରେ ନୂଆପଡ଼ା ସହରରେ ବିଜେପିର ବିଜୟ ଶୋଭାଯାତ୍ରା ଜାରି ରହିଛି। ନୂଆପଡ଼ାଠୁ ନେଇ ଭୁବନେଶ୍ଵର ପର୍ଯ୍ୟନ୍ତ ବିଜେପି ଶିବିରରେ ଖୁସିର ଲହରି ଖେଳି ଯାଇଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!