ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର,୧୭।୧୧ :୨ ଦଫା ଦାବି ନେଇ ଡିସେମ୍ବର ୧ରୁ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ। ମୂଳ ପଦବୀକୁ ଉନ୍ନୀତ କରି ୪୨୦୦ ଗ୍ରେଡ୍‌ ପେ’ ପ୍ରଦାନ, ୨୦୦୧ରୁ ୨୦୨୪ ମସିହା ପର୍ଯ୍ୟନ୍ତ ୬ ବର୍ଷର କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ୬ଟି ନୋଶନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ଦାବି ପୂରଣ ପାଇଁ ମହାସଂଘ ଏହି ନିଷ୍ପତ୍ତି ନେଇଛି। ନଭେମ୍ବର ୩୦ ସୁଦ୍ଧା ସରକାର ଯଦି ଦାବି ପୂରଣ ନ କରନ୍ତି, ଡିସେମ୍ବର ୧ରୁ ରାଜରାସ୍ତାରେ ପ୍ରାଥମିକ ଶିକ୍ଷୟିତ୍ରୀଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିପାଇଁ ରାଜ୍ୟ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଯାହା ପରିସ୍ଥିତି ଉପୁଜିବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ମହାସଂଘର ଆବାହକ ରାମଲାଲ ପଟେଲଙ୍କ ଅଧ୍ୟକ୍ଷତାରେ ରବିବାର ଖାରବେଳ ନଗରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏନେଇ ଆଲୋଚନା ହୋଇଛି। ୨୦୦୧ରୁ ନିଅଣ୍ଟିଆ ଅର୍ଥ ବ୍ୟବସ୍ଥା ସମୟରୁ ସ୍ବଳ୍ପ ବେତନରେ ଓ ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକ ଶିକ୍ଷକ ସୁଦୃଢ଼ କରି ଆସୁଥିବାବେଳେ ଶିକ୍ଷକମାନଙ୍କ ଦାବୀକୁ ଉପେକ୍ଷା କରାଯାଉଛି। ପ୍ରାଥମିକ ଶିକ୍ଷକ ସରକାରଙ୍କ ଆର୍‌ଟିଇ, ଖାଦ୍ୟ ସୁରକ୍ଷା, ସ୍ବାସ୍ଥ୍ୟ ସଚେତନତା, କିଶୋରୀଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ସହିତ ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟକ୍ରମର ଅନୁପାଳନ କରୁଛନ୍ତି। ହେଲେ ସେମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁ ନ ଥିବା ମହାସଂଘ ଅଭିଯୋଗ କରିଛି। ବୈଠକରେ ଓପିଟିଏ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ଓଇବିଟିଏଫ ସଭାପତି ଅଜୟ କୁମାର ଧଳ, ଏଓପିଟିଏ ସଭାପତି ସୁଶାନ୍ତ ବେହେରା, ଓଇଟିଏ ସାଧାରଣ ସମ୍ପାଦକ ପ୍ରବୀଣ କୁମାର ଦାସ, ଲେଭଲ ଭି-ଏ ଆବାହକ ସୁବ୍ରତ କୁମାର ଧଳ, ଅଜିତ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!