ଭୁବନେଶ୍ବର, ୨୧ା୧୧:ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ , କାଲି ଲଘୁଚାପର ରୂପନେବ ସକ୍ରିୟ ଘୂର୍ଣ୍ଣିବଳୟ । 25 ଓ 26ରେ ବାତ୍ୟା ରୂପ ନେବା ନେଇ ଅନୁମାନ କରାଯାଉଛି । ବାତ୍ୟା ଗତିପଥ ନେଇ ଏବେ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ନାହିଁ ।ସେପଟେ ଆସନ୍ତା ୨୨ରେ ସୃଷ୍ଟି ହେବ ଲଘୁଚାପ । ୨୪ରେ ଏହା ଅବପାତର ରୂପ ନେଇ ଆକଳନ ଲଗାଇଛନ୍ତି ପାଣିପାଗ ବିଶେଷଜ୍ଞ। ଏମିତିକି କିଛି ଆକଳନ ପରେ ବାତ୍ୟା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ମାଲକା ସମୁଦ୍ର ସନ୍ଧିରେ ସୃଷ୍ଟି ହୋଇଛି ଘୁର୍ଣିବଳୟ।ଗୁରୁବାର ସନ୍ଧ୍ୟା ସୁଦ୍ଧା ଘୂର୍ଣ୍ଣିବଳୟଟି ଷ୍ଟ୍ରେଟ୍ ଅଫ୍ ମଲାକ୍କା (ଇଣ୍ଡୋନେସିଆ ଦେଇ ଆଣ୍ଡାମାନ ସାଗରକୁ ସଂଯୋଗ କରୁଥିବା ଜଳପଥ)ର ସମୁଦ୍ରପତ୍ତନଠାରୁ ୫.୮ କିମି ବିସ୍ତୀର୍ଣ୍ଣ ଅଞ୍ଚଳରେ ରହିଛି। ଏହା ପ୍ରଭାବରେ ନଭେମ୍ବର ୨୨ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ତେବେ ଏହାକୁ ନେଇ ବାତ୍ୟା ଆଶଙ୍କା ପ୍ରକାଶ ପାଇଥିଲେ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଏହି ଘୂର୍ଣ୍ଣିବଳୟ ପାଇଁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ ଓ ୨୪ ତାରିଖ ବେଳକୁ ଦକ୍ଷିଣ ଅବପାତର ରୂପ ନେଇପାରେ। ପରବର୍ତ୍ତୀ ୪୮ଘଣ୍ଟାରେ ଅର୍ଥାତ୍ ୨୬ ତାରିଖ ବେଳକୁ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଏଭଳି ସୂଚନାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ବାତ୍ୟା ଓ ବର୍ଷା ଆଶଙ୍କାରେ ଦିନ କାଟୁଛନ୍ତି ଚାଷୀ। ଏବେ ଅମଳ ସମୟ ଆରମ୍ଭ ହୋଇଥିଲେ ମଧ୍ୟ ବିଲରେ ପାଣି ରହିଛି। ପୁଣି ଧାନ ଅମଳ ପାଇଁ ଶ୍ରମିକ ଅଭାବ ଚିନ୍ତା ବଢ଼ାଇଛି। ସାମାନ୍ୟ ବର୍ଷା ହେଲେ ବି ବିଲରେ ଥିବା ପାଚିଲା ଧାନ ନଷ୍ଟ ହେବ ବୋଲି ଚାଷୀମାନେ କହୁଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |