ଶ୍ରୀମନ୍ଦିରରେ ବକୁଳ ଅମାବାସ୍ୟା

ପୁରୀ ,୧୯।୧୨:  ପୌଷ ମାସର ଅମାବାସ୍ୟାରେ ଶ୍ରୀଜଗନ୍ନାଥ ମନ୍ଦିରରେ ବକୁଳ ଅମାବାସ୍ୟା ନୀତି ଯଥାରୀତି ପାଳନ କରାଯିବ। ଏହି ଦିନ ମହାପ୍ରଭୁଙ୍କ ଠାରେ ଲାଗିହୁଏ ବଉଳ । ବଉଳ ପଡି ତିଆରି କରାଯାଇଥିବା ଗଇଁଠା ପିଠା ମହାପ୍ରଭୁଙ୍କ ଠାରେ ଅର୍ପଣ କରାଯାଏ । ଏହି ତିଥିରେ ଶ୍ରୀବିଗ୍ରହମାନଙ୍କର ଆଳତି ଅବକାଶ ବଢ଼ି ବେଶ ହେବା ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଏକ ତୁଳସୀ ମାଳ ବା ଆଜ୍ଞାମାଳ ଲାଗି କରାଯାଏ । ଗୋପାଳବଲ୍ଲଭ ଭୋଗ ଶେଷ ହୋଇ ସକାଳ ଧୂପ ଉଠିବା ସମୟରେ ରୋଷ ଘରୁ ବଉଳ ଗଇଁଠା ତାଟ ଛାମୁକୁ ଆସେ ।ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ସାମନ୍ତ ଷୋଡ଼ଶ ଉପଚାରରେ ପୂଜା କରିଥାଆନ୍ତି । ଟେରାଫିଟି ଆଳତି ବଢ଼ିବା ପରେ ତାଟ ଭିତରେ ଥାଇ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି । ତାପରେ ମହାପ୍ରସାଦ କଢ଼ା ଯାଇ ଧୋପଖାଳ ହେବା ପରେ ମହାଜନେ ଦକ୍ଷିଣ ଘରୁ ଶ୍ରୀ ନାରାୟଣ ଅମାବାସ୍ୟାଙ୍କୁ ରତ୍ନସିଂହାସନ ଉପରକୁ ବିଜେ କରାନ୍ତି । ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କଠାରେ ପୂର୍ବରୁ ଲାଗି ହୋଇଥିବା ଆଜ୍ଞାମାଳକୁ ଆଣି ଶ୍ରୀନାରାୟଣଙ୍କୁ ସାଗର ବିଜେ ନିମିତ୍ତ ପ୍ରଦାନ କରିଥାଆନ୍ତି । ଆଜ୍ଞାମାଳ ଲାଗି ହେବା ପରେ ମହାଜନ ସେବକମାନେ ହସ୍ତରେ ଶ୍ରୀଅମାବାସ୍ୟା ନାରାୟଣଙ୍କୁ ବିଜେ କରାଇ ମୁକ୍ତି ମଣ୍ଡପ ତଳେ ସ୍ଥିତ ପାଲିଙ୍କିରେ ଆସୀନ କରାଇଥାଆନ୍ତି । ଏହା ପରେ ଆବଶ୍ୟକ ନୀତି ପରେ ବିମାନବଡୁ ସେବକମାନେ ପାଲିଙ୍କିକୁ ସ୍କନ୍ଧରେ ବହନ କରି ସାଗର ବିଜେ ନୀତି ନିମିତ୍ତ ସ୍ବର୍ଗଦ୍ବାର ନିକଟକୁ ଯାଇଥାଆନ୍ତି।ସେହିପରି ଏହି ଅମାବାସ୍ୟା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଏକ୍ସ ଆକାଉଣ୍ଟରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ପୋଷ୍ଟ କରି ଲେଖିଛନ୍ତି ଯେ, ପବିତ୍ର ବକୁଳ ଅମାବାସ୍ୟା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରକୃତି ବନ୍ଦନା ହେଉଛି ଆମ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଉଚ୍ଚ ମୂଲ୍ୟବୋଧଭିତ୍ତିକ ଆମର ଏହି ସାଂସ୍କୃତିକ ଐତିହ୍ୟ ଓ ସମୃଦ୍ଧ ପରମ୍ପରା ପାଇଁ ଆମେ ଗର୍ବିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ବକୁଳର ସୁବାସ ପରି ଆନନ୍ଦମୟ ଓ ମହକିତ ହେଉ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!