ଭୁବନେଶ୍ୱରର,୦୫/୦୧: ସୋମବାରଠାରୁ ରାଜ୍ୟରେ ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନକୁ ଥରାଇବ ଶୀତ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି । ଘନ କୁହୁଡ଼ି ଯୋଗୁଁ ଗାଡ଼ିମୋଟର, ବିମାନ ଏବଂ ରେଳ ଚଳାଚଳ ବ୍ୟାହତ ହେଉଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜିଠାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ରୁ ୪ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଏହି ସମୟରେ ଶୀତ ଫେରିବା ସମ୍ଭାବନା ରହିଛି। କାରଣ ଅଦ୍ୟାବଧି କନ୍ଧମାଳ, କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି।ଘୁ.ଉଦୟଗିରିରେ ରାତି ତାପମାତ୍ରା ୬.୪ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୮.୫, ଦାରିଙ୍ଗବାଡ଼ିରେ ୮, ସେମିଳିଗୁଡ଼ାରେ ୯.୧, ଭୁବନେଶ୍ବରରେ ୧୭.୬ ଏବଂ କଟକରେ ୧୫.୪ ଡିଗ୍ରୀ ରହିଛି। ଯାଜପୁର, ଜଗତସିଂହପୁର, ଭୁବନେଶ୍ବର, ଗୋପାଳପୁର, ଖୋର୍ଦ୍ଧା, ଢେଙ୍କାନାଳ, ଫୁଲବାଣୀ, ଚାନ୍ଦବାଲି, ପାରାଦ୍ବୀପ, କେନ୍ଦ୍ରାପଡ଼ା, ବାରିପଦା, ରାଉରକେଲା ଏବଂ ଭବାନୀପାଟଣାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ଆଜି ସକାଳେ ଯାଜପୁର, ନୟାଗଡ଼ ଜିଲାକୁ ଘନରୁ ଅତି ଘନ କୁହୁଡ଼ି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼ ଏବଂ ଗଜପତି ଜିଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |