ରାଜ୍ୟରେ କାଳବୈଶାଖୀ ,୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ ଜାରି

ଭୁବନେଶ୍ୱର,୨୯, ୩:  କାଳବୈଶାଖୀ ବର୍ଷା ପାଇଁ ଆଜି ଉତ୍ତରରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଯାଏଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।   ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ ପରିବର୍ତ୍ତନ ପ୍ରଭାବରେ ଏପ୍ରିଲ ୩ ଯାଏ ବିଭିନ୍ନ ଜିଲାରେ ଝଡ଼ତୋଫାନ ସହ ବଜ୍ରପାତ ଓ କୁଆପଥର ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ରବିବାର ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ ଜାରି ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲାରେ ବର୍ଷା ସମୟରେ ୪୦ରୁ ୫୦ କି.ମି ବେଗରେ ପବନ ବହିବା ନେଇ ସତର୍କ ସୂଚନା ଦିଆଯାଇଛି। ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ ଏବଂ ମାଲକାନଗିରି ଜିଲାରେ ବର୍ଷା ସମୟରେ ୩୦ରୁ ୪୦ କି.ମି ବେଗରେ ପବନ ବହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସୋମବାର ୧୯ ଜିଲାକୁ ଓ ମଙ୍ଗଳବାର ୨୫ଟି ଜିଲାକୁ ୟେଲୋ ଓ୍ୱାର୍ନିଂ ଦିଆଯାଇଛି।ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲା ଚକାପାଦରେ ସର୍ୱାଧିକ ୩୪.୨ ମି.ମି. ବର୍ଷା ହୋଇଛି। ଟିକାବାଲିରେ ୩୨ ମି.ମି., ମୟୂରଭଞ୍ଜ ଜିଲା କରଞ୍ଜିଆରେ ୩୦ ମି.ମି., ନଓ୍ୱନରେ ୨୩.୨ ମି.ମି. ଓ ସୁକ୍ରୁଲିରେ ୨୧.୫ ମି.ମି., ଗଜପତି ଜିଲା ନୂଆଗଡ଼ରେ ୨୫ ମି.ମି., ଗଞ୍ଜାମ ଚିକିଟିରେ ୨୨.୬ ମି.ମି., କନ୍ଧମାଳ କଳିଙ୍ଗରେ ୨୨ ମି.ମି., କେନ୍ଦୁଝର ତେଲକୋଇରେ ୨୧.୮ ମି.ମି., ଅନୁଗୋଳ ଆଠମଲ୍ଲିକରେ ୨୦.୩ ମି.ମି. ବର୍ଷା ରେକର୍ଡ ହୋଇଛି। ଶନିବାର ୨୨ଟି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଓ ତା’ଠାରୁ ଅଧିକ ରହିଥିଲା। ତାଳଚେର ଏବଂ ଭବାନୀପାଟଣାରେ ସର୍ୱାଧିକ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଝାରସୁଗୁଡାରେ ୩୮.୨ ଡିଗ୍ରୀ, ସୋନପୁର ୩୮.୨ ଡିଗ୍ରୀ, ବଲାଙ୍ଗୀର ୩୮ ଡିଗ୍ରୀ, ଅନୁଗୋଳ ୩୬.୭ ଡିଗ୍ରୀ, ବରଗଡ଼ ୩୬.୬ ଡିଗ୍ରୀ, ନୟାଗଡ଼ ୩୬.୫ ଡିଗ୍ରୀ, ନୂଆପଡା ୩୬.୫ ଡିଗ୍ରୀ, ହୀରାକୁଦ ୩୬.୪ ଡିଗ୍ରୀ, ସମ୍ୱଲପୁର ୩୬.୪ ଡିଗ୍ରୀ, ରାଉରକେଲା ୩୬.୨ ଡିଗ୍ରୀ, ଢେଙ୍କାନାଳ ୩୬.୧ ଡିଗ୍ରୀ, ପାରଳାଖେମୁଣ୍ଡି ଓ ନବରଙ୍ଗପୁରରେ ୩୬ ଡିଗ୍ରୀ ରହିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!