ଭୁବନେଶ୍ବର, ୨୬/୦୪ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି।ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି। ପାରଦ ଉପରମୁହଁା ହେବା ସହ ୪୫ ଡିଗ୍ରୀର ନିକଟତର ହୋଇଛି। ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇପାରେ। ରାଜ୍ୟର କିଛି ଜିଲାରେ ଗରମ, ଗୁଳୁଗୁଳି ଲାଗି ରହିବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ, ଶନିବାର ୧୭ଟି ସ୍ଥାନର ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ଝାରସୁଗୁଡ଼ାରେ ସର୍ବାଧିକ ୪୪.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇ ଥିବାବେଳେ ବଲାଙ୍ଗିରରେ ୪୩.୫, ନୂଆପଡ଼ାରେ ୪୩, ସମ୍ବଲପୁର, ହୀରାକୁଦ, ଭବାନୀପାଟଣା, ସୋନପୁର, ବୌଦ୍ଧ, ରାଉରକେଲା ଓ ସୁନ୍ଦରଗଡ଼ରେ ୪୨, ବରଗଡ଼, ତାଳଚେର ଓ ଅନୁଗୋଳରେ ୪୧ ଡିଗ୍ରୀ ରେକର୍ଡ କରାଯାଇଛି।ସମୁଦ୍ରକୂଳ ଗୋପାଳପୁର ଓ ପୁରୀରେ ସର୍ବନିମ୍ନ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। କୌଣସି ଜିଲାରେ ବର୍ଷା ହୋଇନାହିଁ। ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରିରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ଅଛି। ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲାରେ ତାତି ଅଧିକ ରହିବ। ୨୮ ତାରିଖରୁ କାଳବୈଶାଖୀ ବର୍ଷାର ପ୍ରକୋପ ବଢ଼ିବା ସହ ତାତି ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |