ଭୁବନେଶ୍ୱର,୨୧।୫: ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡିଶା। ରାଜ୍ୟରେ ୪୬ ଡିଗ୍ରୀ ଛୁଇଲାଣି ପାରଦ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୫ ଦିନ ଅର୍ଥାତ୍ ଆସନ୍ତା ୨୬ ତାରିଖ ଯାଏଁ ନିସ୍ତାର ନାହିଁ। ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରା ଆହୁରୀ ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ|ପାରଦ ଉପରମୁହଁା ହୋଇ ୪୬ ଡିଗ୍ରୀ ଛୁଇଁଲାଣି। ଆଉ କିଛି ଅଞ୍ଚଳରେ ଦିନ ତାପମାତ୍ରା ୪୫ ଡିଗ୍ରୀରେ ପହଞ୍ଚିଛି। ପୂର୍ବାହ୍ଣ ୧୦ଟା ବାଜିଲେ ପଶ୍ଚିମାଞ୍ଚଳକୁ ଗ୍ରୀଷ୍ମଲହରୀ ମାଡ଼ି ଆସୁଛି। ତେବେ ଉପକୂଳବର୍ତ୍ତୀ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲେ ମଧ୍ୟ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି।ବୁଧବାର ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି। ସାରା ରାଜ୍ୟରେ ଝାରସୁଗୁଡ଼ା ଉତ୍ତପ୍ତ ସହରରେ ପରିଣତ ହୋଇଛି। ଦେଶର ଉତ୍ତପ୍ତ ସହର ତାଲିକାରେ ଝାରସୁଗୁଡ଼ା ୧୧ତମ ସ୍ଥାନରେ ରହିଛି। ବୁଧବାର ସମ୍ବଲପୁରରେ ପାରଦ ୪୫.୩ ଡିଗ୍ରୀ, ହୀରାକୁଦରେ ୪୫ ଡିଗ୍ରୀ ରହିଥିଲା। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ।ଆସନ୍ତା କିଛି ଦିନ ସମ୍ବଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ପ୍ରାୟ ୪୬ ଡିଗ୍ରୀ ରହିବା ନେଇ ଅନୁମାନ କରାଯାଇଛି। ସେହିଭଳି ବରଗଡ଼, ବୌଦ୍ଧ, ବଲାଙ୍ଗିର, ଟିଟିଲାଗଡ଼, ନୂଆପଡ଼ା ଓ ଅନୁଗୁଳରେ ବି ସ୍ବାଭାବିକଠୁ ଅଧିକ ପାରଦ ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |