ଶ୍ରୀମନ୍ଦିର ଗଲା ଦଶମୂଳ ପାଚକ

ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁସ୍ଥ ପାଇଁ  ‘ଦଶମୂଳ ମୋଦକ’

ପୁରୀ, ୧୧/୦୭ :ରତ୍ନବେଦୀରୁ ଓହ୍ଲାଇ ବର୍ତ୍ତମାନ ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୋପନ ଅଣସର ଲୀଳା ଚାଲିଛି। ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଓଷ ବା ଦଶମୂଳ ପାଚକ (ମୋଦକ) ପ୍ରସ୍ତୁତ କରିଛନ୍ତି ରାଜବୈଦ୍ୟ। ଦୀର୍ଘ ଦୁଇ ମାସର କଠିନ ପରିଶ୍ରମ ଓ ନିଷ୍ଠା ପରେ ଆଜି ରାଜବୈଦ୍ୟ ଏହି ପବିତ୍ର ଦଶମୂଳ ମୋଦକକୁ ଶ୍ରୀମନ୍ଦିର ଗାରଦରେ କମାଣ୍ଡରଙ୍କ ନିକଟରେ ଜିମା ଦେଇଛନ୍ତି।

ଶାସ୍ତ୍ରୀୟ ବିଧି ବିଧାନ ମୁତାବକ, ୫ଟି ଛୋଟ ଏବଂ ୫ଟି ବଡ଼ ଗଛର ମୂଳ ତଥା ଚେରକୁ ନେଇ ଏହି ମହୌଷଧି ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବିଭିନ୍ନ ସ୍ଥାନରୁ ବେଲ, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣୀ, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ନବାଙ୍କୁରୀ, ଗୋଖର ଏବଂ ପାଟେଳୀ ଆଦି ପ୍ରମୁଖ ଦଶଟି ଚେରମୂଳି ସଂଗ୍ରହ କରାଯାଇଥିଲା। ଏହାପରେ ସେଗୁଡ଼ିକୁ ମିଶାଇ ଟାଣ ଖରାରେ ଶୁଖାଯିବା ପରେ ରାଜବୈଦ୍ୟ ଶୁଦ୍ଧପୂତ ଭାବେ ହେମଦସ୍ତାରେ କୁଟି, କରିଆ କନାରେ ଛାଣି ଏହାର ସୂକ୍ଷ୍ମ ଚୂର୍ଣ୍ଣ ପ୍ରସ୍ତୁତ କରିଥିଲେ। ଏହି ସେବା କାର୍ଯ୍ୟରେ ରାଜବୈଦ୍ୟଙ୍କ ପରିବାର ବର୍ଗ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

୭ଟି ରାଜବୈଦ୍ୟ ପରିବାର ପ୍ରସ୍ତୁତ କରନ୍ତି ଓଷ:

ରାଜବୈଦ୍ୟଙ୍କ ସୂଚନା ଅନୁଯାୟୀ, ପରମ୍ପରା କ୍ରମେ ୭ଟି ରାଜବୈଦ୍ୟ ପରିବାର ମହାପ୍ରଭୁଙ୍କ ପାଇଁ ଏହି ଦଶମୂଳ ମୋଦକ ଯୋଗାଇ ଆସୁଛନ୍ତି, ଯାହାର ପ୍ରସ୍ତୁତି ପର୍ବ ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଥାଏ। ସଂଗୃହୀତ ଚେରମୂଳିର ଗୁଣ୍ଡକୁ କ୍ଷୀର, ମହୁ, ଚିନି, ଖୁଆ, ସର, ଘିଅ ଏବଂ ଅନ୍ୟାନ୍ୟ ସୁବାସିତ ମସଲା ମିଶାଇ ପାକ କରାଯାଇଥିଲା। ପରେ ଏହା ଥଣ୍ଡା ହେବା ପରେ ଗୁଳା ଆକାରରେ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇ ୭ଟି ଓଳିରେ ଶ୍ରୀମନ୍ଦିରରେ ଯୋଗାଇ ଦିଆଯାଇଛି।

ଆସନ୍ତା ସମୟରେ ପତି ମହାପାତ୍ର ସେବକଙ୍କ ଦ୍ୱାରା ସଂସ୍କାର କରାଯିବା ପରେ ଏହି ମୋଦକ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗି କରାଯିବ। ଏହି ମହୌଷଧି ବା ମୋଦକ ସେବନ କରିବା ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଏବଂ ଭକ୍ତମାନଙ୍କୁ ନବଯୌବନ ରୂପରେ ଦର୍ଶନ ଦେବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!