ପୁରୀ, ୧୩ା୭: ।ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶନିବାର ପୁରୀ ପୌର ସଦନରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛି ପୁଲିସ। ପ୍ରତ୍ୟେକ ଶ୍ରଦ୍ଧାଳୁ ରଥଯାତ୍ରା ଦେଖି ଯେପରି ନିରାପଦରେ ଫେରିବେ ତାହାକୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ କହିଛନ୍ତି ୧୯ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱ ଦିଆଯାଇଛି। ରଥ କର୍ଡନର ସୁରକ୍ଷା ପାଇଁ କେନ୍ଦ୍ରୀୟ ବାହିନୀକୁ ମୁତୟନ କରାଯିବ। ପୁରୀ ଭୁବନେଶ୍ୱର ଓ ପୁରୀ କୋଣାର୍କ ଜାତୀୟ ରାଜପଥ ସମେତ ପୁରୀ ସହରର ବିଭିନ୍ନ ସ୍ଥାନରେ ୪୭୦ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଛି। ଜଳ, ସ୍ଥଳ ଓ ଆକାଶ ପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁଲିସ ପ୍ରସ୍ତୁତି ଶେଷ ହୋଇଛି। ୧୨ ହଜାର ପୁଲିସ କର୍ମଚାରୀଙ୍କ ସମେତ ୧୨ କମ୍ପାନୀ କେନ୍ଦ୍ରୀୟ ବାହିନୀଙ୍କୁ ନିୟୋଜିତ କରାଯିବ। ରଥ ଗୁଡିକର ସୁରକ୍ଷା, ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ, ଗାଡ଼ି ଚଳାଚଳ, ଗୁଣ୍ଡିଚା ମନ୍ଦିରରେ ଦର୍ଶନ ବ୍ୟବସ୍ଥା ଏବଂ ଦଳାଚକଟା ପରିସ୍ଥିତି ଏଡାଇବାକୁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। ପୂର୍ବ ଅଭିଜ୍ଞତା ଥିବା ପୁଲିସ ଅଧିକାରୀ ମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ଅଘଟଣମୁକ୍ତ ରଥଯାତ୍ରା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ରଥ ଲାଗିବା ପରେ ଦର୍ଶନ ପାଇଁ ରାତିରେ ପୁରୀ ବାହାରୁ ବହୁଲୋକ ଆସୁଛନ୍ତି। ତେଣୁ କୃତ୍ରିମ ବୁଦ୍ଧିମତାର ଉପଯୋଗ କରି ରାତିରେ ଆସୁଥିବା ଗାଡ଼ି ଓ ଲୋକଙ୍କ ସଂଖ୍ୟା ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ରାତ୍ରିକାଳୀନ ଗାଡ଼ି ଚଳାଚଳ ଓ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେବା ଓ ସମର୍ପଣ ଭାବ ନେଇ ରଥଯାତ୍ରାରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟ ବିଭାଗ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ରେଳ ଷ୍ଟେସନ ସୁରକ୍ଷା ସମେତ ଭିଡ଼ ନିୟନ୍ତ୍ରଣ ଓ ଅସ୍ଥାୟୀ ଗାଡ଼ି ପାର୍କିଂ ବ୍ୟବସ୍ଥାର ସୁପରିଚାଳନା ପାଇଁ ସେ ପରାମର୍ଶ ଦେଇଛନ୍ତି। ଅତିରିକ୍ତ ପୁଲିସ ମହାନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ନିର୍ଦେଶକ ଆର ପି କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ରାଜେଶ କୁମାର, ଆରକ୍ଷୀ ପରିବହନ କମିଶନର ଅମିତାଭ ଠାକୁର, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସତ୍ୟଜିତ ନାୟକ, ଆଇଜି ଅନୁପ କୁମାର ସାହୁ, ଡଃ ସାର୍ଥକ ଷଡ଼ଙ୍ଗୀ, ସତ୍ୟବ୍ରତ ଭୋଇ, ଚରଣ ସିଂହ ମୀନା, ପିନାକ ମିଶ୍ର, କନୱର ବିଶାଲ ସିଂହ, ବି. ଗଙ୍ଗାଧର, ଡଃ ଦୀପକ କୁମାର, ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |