ନୂଆଦିଲ୍ଲୀ, ୧୩ା୭: ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ । ଭାରତୀୟ ସ୍ପିନରଙ୍କ ଜାଲରେ ଫସିଲା ଘରୋଇ ଦଳ । ପ୍ରଥମ ଦିନରେ 150 ରନ୍ରେ ୱେଷ୍ଟଇଣ୍ଡିଜ୍ ଅଲ୍ ଆଉଟ୍ ହୋଇଥିବା ବେଳେ ଭାରତ ବିନା କୌଣସି କ୍ଷତିରେ 80 ରନ୍ ସଂଗ୍ରହ କରିଛି । ଅଧିନାୟକ ରୋହିତ ଶର୍ମା 30 ରନ୍ ଓ ଯଶସ୍ବୀ ଜୟସ୍ବାଲ୍ 40 ରନରେ ଅପରାଜିତ ରହିଛନ୍ତି ।ତେବେ ଗତ କିଛି ବର୍ଷର ରେକର୍ଡ ଦେଖିଲେ ଭାରତୀୟ ଟିମ୍ ର ପଲ୍ଲା ଭାରି ରହିଛି । ସେପଟେ ୱେଷ୍ଟ ଇଣ୍ଡିଜ୍ ପୂର୍ବଭଳି ଶକ୍ତିଶାଳୀ ନଥିବା ବେଳେ ଭାରତ ଦୁଇ ଥର WTC ଫାଇନାଲ ଖେଳିଛି । ୱେଷ୍ଟଇଣ୍ଡିଜ ମାଟିରେ ଭାରତ ଏବେ ସୁଦ୍ଧା ୱେଷ୍ଟଇଣ୍ଡିଜ ବିପକ୍ଷରେ ୫୧ଟି ଟେଷ୍ଟ ଖେଳିଥିବା ବେଳେ ୯ଟିରେ ବିଜୟୀ ହୋଇଛି ଏବଂ ୧୬ଟି ମ୍ୟାଚ୍ ହାରିଛି । ଭାରତୀୟ ସ୍ପିନର ମୋଟ ୮ଟି ୱିକେଟ ନେବାରୁ ୱେଷ୍ଟଇଣ୍ଡିଜ୍ର ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଛନ୍ତି। ରବିଚନ୍ଦ୍ରନ୍ ଅଶ୍ବିନ ୫ଟି ୱିକେଟ ନେବାରୁ ଚା’ପାନ ବିରତି ପରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍ରେ ୧୫୦ରନ କରି ଅଲ୍ଆଉଟ ହୋଇଯାଇଛି । ତେବେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସ୍ରେ କୌଣସି ୱିକେଟ ନ ହରାଇ ୮୦ ରନ ସଂଗ୍ରହ କରିଛି । ଭାରତ ଏବେ ୭୦ ରନ ପଛରେ ରହିଛି ।
ବ୍ୟାଟିଂ ସହାୟକ ନାଲିମାଟିର ପିଚ୍କୁ ଦେଖି ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଏହାର ଓପ୍ନିଂ ଯୋଡ଼ି ୧୩ ଓଭର କ୍ରିଜ୍ରେ ରହି ୩୧ ରନ୍ ଯୋଡ଼ିଥିଲେ। ଏହାପରେ ମାତ୍ର ୪୫ ରନ୍ରେ ୱେଷ୍ଟଇଣ୍ଡିଜ୍ ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ପହଞ୍ଚି ଯାଇଥିଲା। ୨ ରନ୍ କରିଥିବା ତ୍ୟାଗନାରାୟଣ ଚନ୍ଦ୍ରପଲ୍ଙ୍କୁ ଆଉ୍ଟକରି ରବିଚନ୍ଦ୍ରନ୍ ଅଶ୍ବିନ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଫଳରେ ପ୍ରଥମ ଭାରତୀୟ ବୋଲର ଭାବେ ଅଶ୍ବିନ ଉଭୟ ପିତା-ପୁତ୍ର (ଶିବନାରାୟଣ ଓ ତ୍ୟାଗନାରାୟଣ ଚନ୍ଦ୍ରପଲ୍)ଙ୍କୁ ଆଉଟ୍ କରିବାର କୃତିତ୍ବ ହାସଲ କରିଥିଲେ । ପରେ ଅଧିନାୟକ କ୍ରେଗ୍ ବ୍ରାଥ୍ୱେଟ୍ ୩ଟି ଚୌକା ସହ ୨୦ ରନ୍କରି ବିଦାୟ ନେଇଥିଲେ। ରେମଣ୍ଡ କିଫର ୨ ରନ୍କରି ବିଦାୟ ନେଇଥିଲେ। ଏହାପରେ ରବୀନ୍ଦ୍ର ଜାଡ଼େଜା କ୍ରମାଗତ ୨ଟି ୱିକେଟ ନେଇ ଯାଇଥିଲେ। ଉପଅଧିନାୟକ ଜର୍ମେନ୍ ବ୍ଲାକ୍ଉଡ୍ ଗୋଟିଏ ଚୌକା ସହ ୧୪ ଓ ୱିକେଟ୍ ରକ୍ଷକ ଜୋସୁଆ ଡା ସିଲ୍ଭା ୨ ରନ୍କରି ଜାଡ଼େଜାଙ୍କ ଶିକାର ହୋଇଥିଲେ। ୭୬ ରନ୍ରେ ୱେଷ୍ଟଇଣ୍ଡିଜ୍ ୫ଟି ୱିକେଟ ହରାଇବା ପରେ ଟେଷ୍ଟ ପଦାର୍ପଣ କରିଥିବା ଆଲିକ୍ ଆଥାନାଜେ ଓ ଜେସନ୍ ହୋଲ୍ଡର ୪୧ ରନ୍ ଯୋଡ଼ିଥିଲେ। ପୂର୍ବତନ ଅଧିନାୟକ ହୋଲ୍ଡର ଗୋଟିଏ ଚୌକା ସହ ୧୮ ରନ୍ କରିଥିଲେ। ପରେ ଆଲ୍ଜାରି ଜୋସେଫ୍ ୪ ରନ୍କରି ବିଦାୟ ନେଇଥିଲେ। ଆଲିକ୍ ଆଥାନାଜେ ୯୯ ବଲ୍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୭ ରନ୍କରି ୮ମ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ। ରାହ୍କିକ୍ କର୍ଣ୍ଣୱାଲ ୩ଟି ଚୌକା ସହ ୧୯ ରନ କରି ଅପରାଜିତ ଥିଲେ। ରବିଚନ୍ଦ୍ରନ୍ ଅଶ୍ବିନ ୫ଟି ଓ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ ନେଇଥିଲେ। ଏହି ମ୍ୟାଚ୍ରେ ଦୁଇ ଯୁବ କ୍ରିକେଟର ଯଶସ୍ବୀ ଜୟସୱାଲ ଓ ଈଶାନ୍ କିଷନ୍ ଟେଷ୍ଟ ପଦାର୍ପଣ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |