ନୂଆଦିଲ୍ଲୀ,୧୩ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସକାଳୁ ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯାଇଛନ୍ତି।ଆଜି ଅପରାହ୍ଣରେ ସେ ପ୍ୟାରିସରେ ପହଞ୍ଚିବେ। ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ୍ ମାକ୍ରୋନ୍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ପ୍ୟାରିସ ଗସ୍ତ କରିଛନ୍ତି । ଜୁଲାଇ ୧୪ ତାରିଖ ଦିନ ସେ ବାର୍ଷିକ ‘ବାଷ୍ଟିଲ୍ ଡେ’ ପରେଡ୍’ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏହି ପରେଡ୍ରେ ଭାରତର ୩-ସେନା କଣ୍ଟିଜେଣ୍ଟ୍ର ୨୬୯ଜଣ ଯବାନ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଫରାସୀ ଜେଟ୍ ସହିତ ଭାରତୀୟ ବାୟୁସେନାର ୩ଟି ରାଫେଲ୍ ଫାଇଟର୍ ଜେଟ୍ ମଧ୍ୟ ଯୋଗ ଦେଇ ‘ଫ୍ଲାଏପାଷ୍ଟ୍’ କରିବେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନ୍ଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିବେ । ରାଷ୍ଟ୍ରପତି ମାକ୍ରୋନ୍ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ସରକାରୀ ଭୋଜି ସହିତ ଏକ ବ୍ୟକ୍ତିଗତ ନୈଶଭୋଜିର ମଧ୍ୟ ଆୟୋଜନ କରିଛନ୍ତି । ପ୍ରଧାନମନ୍ତ୍ରୀ ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କ ସହିତ ସିନେଟ ଏବଂ ଫ୍ରାନ୍ସର ନେସନାଲ ଆସେମ୍ଳିର ସଭାପତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେ ଫ୍ରାନ୍ସରରେ ଥିବା ପ୍ରବାସୀ ଭାରତୀୟ, ଭାରତୀୟ ଏବଂ ଫରାସୀ କମ୍ପାନୀର ସିଇଓ ଏବଂ ଫ୍ରାନ୍ସର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ପୃଥକ ପୃଥକ ଭାବରେ ଆଲୋଚନା କରିବେ। ଫ୍ରାନ୍ସ୍ ଗସ୍ତ ସଂକ୍ରାନ୍ତରେ ଆଜି ପ୍ରତ୍ୟୁଷରେ ‘ଟୁଇଟ୍’ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ୟାରିସ୍ ଯାଉଛି। ସେଠାରେ ମୁଁ ‘ବାଷ୍ଟିଲ୍ ଡେ’ ସେଲିବ୍ରେସନ୍’ରେ ଭାଗ ନେବି। ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ ଓ ଅନ୍ୟାନ୍ୟ ଫରାସୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଫଳପ୍ରଦ ଆଲୋଚନା ହେବ ବୋଲି ଆଶା କରୁଛି। ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଭାରତୀୟ ସମ୍ପ୍ରଦାୟ ଓ ବିଶିଷ୍ଟ ‘ସିଇଓ’ମାନଙ୍କ ସହିତ ଭାବବିନିମୟ। ଫ୍ରାନ୍ସ୍ ଗସ୍ତ ଶେଷ କରିବା ପରେ ଜୁଲାଇ ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ଆବୁଧାବି ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ସେଠାରେ ସେ ଏଚ୍. ଏଚ୍. ଶେଖ୍ ମହମ୍ମଦ୍ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ଆଲୋଚନା କରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |