ନୂଆଦିଲ୍ଲୀ,୧୩ା୭: ଯମୁନା ନଦୀ ଫୁଲୁଥିବାରୁ ରାଜଧାନୀ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ବିପଦ ସଂକେତ ଉପରେ ଚାଲୁଛି ଯମୁନା ନଦୀ । ଗତ ୪୫ ବର୍ଷ ମଧ୍ୟରେ ଏହା ସବୁଠାରୁ ଅଧିକ ଜଳସ୍ତର ରେକର୍ଡ। ଦିଲ୍ଲୀ ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାକୁ ଲାଗୁଥିବା ବେଳେ ଉପରାଜ୍ୟପାଳ ଜରୁରୀ ବୈଠକ ଡାକିଛନ୍ତି। ଗୁରୁବାର ସକାଳେ ଦିଲ୍ଲୀରେ ଯମୁନା ଜଳସ୍ତର ୨୦୮. ୪୬ ମିଟର ରେକର୍ଡ କରାଯାଇଛି। ବିପଦ ସଂକେତରୁ ୩ ମିଟର ଉପରେ ଚାଲୁଛି ଯମୁନା । ଗତକାଲି ରାତିରେ ଏହା ୨୦୮.୦୫ ମିଟରରେ ପହଞ୍ଚିଥିଲା। ଏହା ପୂର୍ବରୁ ୧୯୭୮ ମସିହାରେ ଯମୁନା ଜଳସ୍ତର ୨୦୭.୪୯ରେ ପହଞ୍ଚିଥିଲା। ଯମୁନା ଜଳସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ତଳିଆ ଅଞ୍ଚଳରେ ପାଣି ଜମି ରହିଥିବାରୁ ପ୍ରାୟ ୧୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପାଣି ବଢ଼ି ଆସି ସିଭିଲ୍ ଲାଇନ୍ସର ରିଂଗ ରୋଡ୍ ଜଳମଗ୍ନ ହୋଇପଡିଛି । ମଜନୁ କା ଟିଲା, କାଶ୍ମିରୀ ଗେଟ୍, ISBTକୁ ସଂଯୋଗ କରୁଥିବା ରାସ୍ତା, ରାଜଘାଟ, ITO, ପୁରୁଣା କିଲ୍ଲା ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି। ଫଳରେ ଦେଖାଦେଇଛି ନାହିଁ ନଥିବା ଟ୍ରାଫିକ୍ ସମସ୍ୟା । ହଜାର ହଜାର ସଂଖ୍ୟାରେ ଗାଡ଼ି ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଅଟକି ରହିଛନ୍ତି|ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ବାସଭବନଠାରୁ ମାତ୍ର ୫୦୦ ମିଟର୍ ଦୂର ସିଭିଲ୍ ଲାଇନ୍ ଅଞ୍ଚଳରେ ଥିବା ରିଙ୍ଗ୍ ରୋଡ୍ରେ ବି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି, କେଜ୍ରିୱାଲ୍ଙ୍କ ଦିଲ୍ଲୀ ସେକ୍ରେଟେରିଏଟ୍ ହାଉସିଙ୍ଗ୍ ଅଫିସ୍, ତାଙ୍କ କ୍ୟାବିନେଟ୍ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବାସଭବନରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |