ଇତିହାସ ରଚିବ ଭାରତ , ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ, ୧୪ା୭: ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଶୁକ୍ରବାର ଚନ୍ଦ୍ରଯାନ-୩ ମିସନ ଆରମ୍ଭ କରିବାକୁ ଯାଉଛି। ଏହି ଉତ୍‌କ୍ଷେପଣ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରେ ହେବ। ଶ୍ରୀହାରିକୋଟା ଦ୍ବିତୀୟ ଲଞ୍ଚ୍ ପ୍ୟାଡ୍‌ରୁ ଅପରାହ୍ଣ ୨ଟା ୩୫ରେ ଚନ୍ଦ୍ରଯାନଟି ଚନ୍ଦ୍ର ଆଡକୁ ଗତି କରିବ।  ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ। ୨୦୧୯ରେ ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍ ଅକୃତକାର୍ଯ୍ୟ ହୋଇଥିଲା। ‘ଚନ୍ଦ୍ରଯାନ-୨’ର ବିକ୍ରମ ଲ୍ୟାଣ୍ଡର ଇଞ୍ଜିନରେ ତ୍ରୁଟି କାରଣରୁ ଏହି ମିଶନ୍ ସଫଳ ହୋଇ ନଥିଲା। ଭାରତ ପଛକୁ ନହଟି ଆରମ୍ଭ କରିଥିଲା ମିସନ ଚନ୍ଦ୍ରଯାନ-୩। ୪୩.୫ ମିଟର ଏଲ୍‌ଭିଏମ୍‌-୩ ଲଞ୍ଚ ରକେଟ୍ ଚନ୍ଦ୍ରଯାନକୁ ପ୍ରଥମେ ଏକ ଅର୍ଦ୍ଧବୃତ୍ତାକାର ପୃଥିବୀ କକ୍ଷପଥକୁ ପଠାଇବ। ଏହାପରେ ଚନ୍ଦ୍ରଯାନ ତା’ର ଗତିପଥରେ ଅଗ୍ରସର ହୋଇ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବା ଆଶା କରାଯାଉଛି।ଚନ୍ଦ୍ରୟାନ-୩ର ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ ଯନ୍ତ୍ରାଂଶ ତିଆରି ହୋଇଛି ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ୍ ଟୁଲରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର ବା ସିଟିଟିସିରେ। ଲଞ୍ଚ୍‌ ଭେହିକିଲ୍ ଓ ସ୍ପେଶକ୍ରାଫ୍ଟ ପାଇଁ Valve, ଇଣ୍ଟେରିଆଲ୍ ନାଭିଗେସନ୍ ସିଷ୍ଟମ,  ଜାଇରୋସ୍କୋପ୍, ଲେଜର୍ ଜାଇରୋ, ଟେମ୍ପ୍‌ରେଚର୍‌ ସେନ୍‌ସର୍‌ ଆଦି ୧୨ କୋଟି ଟଙ୍କାର ଯନ୍ତ୍ରାଂଶ ସିଟିଟିସିରେ ନିର୍ମାଣ ହୋଇଛି। ଚନ୍ଦ୍ରୟାନ-୧ ଓ ୨ ପାଇଁ ମଧ୍ୟ ସିଟିଟିସି ପକ୍ଷରୁ କଂପୋନେଣ୍ଟ ତିଆରି କରାଯାଇଥିଲା।ଯଦି ଏଥର ଯଦି ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!