ଭୁବନେଶ୍ୱର,୧୫।୭:ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ।ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର। ଡ୍ରେନ୍ ପାଣି ରାସ୍ତାକୁ ଉଛୁଳୁଛି । ଘରେ ପାଣି ପଶି ଲୋକଙ୍କ ରହିବା ମୁସ୍କିଲ କଲାଣି। ଯେଉଁଠି ଦେଖ ପାଣି ହିଁ ପାଣି । ସ୍ମାର୍ଟସିଟିରେ ଦୀର୍ଘ ଘଣ୍ଟା ହେଲା ଲାଗି ରହିଛି ବର୍ଷା । ଫଳରେ ଇସ୍କନ ମନ୍ଦିର ସାମ୍ନାରେ ବର୍ଷା ପାଣି ଜମି ଫସିଲା କାର, ବାଇକ୍ । ଉପୁଜିଲା ଟ୍ରାଫିକ ସମସ୍ୟା । ପାଣି ମଝିରେ ଅଟକିଲା ଯାତ୍ରୀଥିବା ବସ୍ । ରାସ୍ତାଘାଟ, ଗଳି କନ୍ଦି, ଏନଏଚ୍ ସବୁଠି ପାଣିର ସୁଅ। କିଛି ସ୍ଥାନରେ କୁତ୍ରିମ ପୋଖରୀ ସୃଷ୍ଟି ହୋଇଛି । ସେହିପରି ଘଡଘଡି ମାରି ଖସିପଡିଲା ମାଉସୀ ମା ମନ୍ଦିରର ଦଧି ନଉତି । କଟକରେ ବି ବର୍ଷା ବିତ୍ପାତ । ଗଳିକନ୍ଦି, ରାସ୍ତାଘାଟ ସବୁଠି ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି । କିଛି ଲୋକଙ୍କ ଘର ଭିତରେ ପାଣି ପଶିଥିବାବେଳେ ଜନଜବୀନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ଭୁବନେଶ୍ୱର ମେୟର ସ୍ୱୀକାର କରିବା ସହ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। ଏପଟେ ପାଣିପାଗ ବିଭାଗ କହିଛି, ଆସନ୍ତା ଦୁଇ ଦିନ ବି ଭୁବନେଶ୍ୱରରେ ହେବ ବର୍ଷା। ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ନର୍ଦ୍ଦମା ପାଣି। ଯାତାୟାତ ପାଇଁ ହନ୍ତସନ୍ତ ହେଉଛନ୍ତି ପୁରୁଣା ଭୁବନେଶ୍ୱରବାସୀ। ରାଜଧାନୀ ଛାତି ଉପରେ ଥିବା କମିଶନରେଟ୍ ପୋଲିସ ମୁଖ୍ୟାଳୟ ସମ୍ମୁଖ ରାସ୍ତାର। ବର୍ଷା ପାଣି ସ୍ରୋତରେ ରାସ୍ତା, ଡ୍ରେନ୍ ସବୁ ଏକାକାର ଦେଖିବାକୁ ମିଳିଥିଲା। ରସୁଲଗଡ଼-ବମିଖାଲ ରାସ୍ତାର ଦୃଶ୍ୟ ବି ସମାନ। ଡ୍ରେନେଜ ସମସ୍ୟାର ସମାଧାନ ହେଉ ନ ଥିବାରୁ ବର୍ଷ ବର୍ଷ ହେଲା ସ୍ଥାନୀୟ ଲୋକେ ଅସରାଏ ବର୍ଷା ହେଲେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |