ଆବୁଧାବି,୧୫।୭ : ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ(ଏମଓୟୁ) ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଟ୍ୱିଟ୍ କରି କହିଛନ୍ତି । ଗତ ୧୦ ତାରିଖରେ ଆଇଆଇଟି ଦିଲ୍ଲୀଠାରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ । ଏହା ପୂର୍ବରୁ ଗତ ୭ ତାରିଖରେ ବିଦେଶରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ତଥା ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।
ଏହି ପଦକ୍ଷେପ ନୂଆ ଭାରତର ନୂତନତ୍ୱ ଓ ଦକ୍ଷତା କ୍ଷେତ୍ରରେ ଏକ ଉଦାହରଣ । ୟୁଏଇରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ସ୍ଥାପନ ହେବା ଭାରତ ଏବଂ ୟୁଏଇ ବନ୍ଧୁତ୍ୱର ଏକ ପ୍ରତିଫଳନ। ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତିରେ କଳ୍ପନାକୁ ବାସ୍ତବର ରୂପ ଦେବ ତଥା ଉଭୟ ଦେଶର ପାରସ୍ପରିକ ସମୃଦ୍ଧି ଏବଂ ବିଶ୍ୱର ବିକାଶ ଦିଗରେ ଜ୍ଞାନଶକ୍ତିର ଉପଯୋଗ ପାଇଁ ଏହା ଏକ ନୂତନ ଢାଞ୍ଚା ସ୍ଥାପିତ କରିବ। ଭାରତ ଓ ୟୁଏଇର ରଣନୀତିକ ଭାଗିଦାରୀ ସୁଦୃଢ ହେବ। ଭାରତୀୟ ଓ ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |