ପାରାଦୀପ,୧୬।୭: ଜଗତସିଂହପୁର ଜିଲ୍ଲାରେ ଦୁଇଟି ବଡ଼ ଘାଇ ହୋଇଥିବା ଯୋଗୁଁ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାଣି ପଶିଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଜଗତସିଂହପୁର ଜିଲ୍ଲା ଦେଇ ଯାଇଥିବା ମାଛଗାଁ କେନାଲର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁ ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ପାଖାପାଖି ଆଣ୍ଠୁଏ ଉଚ୍ଚତାରେ ପାଣି ଚାଲୁଛି। ତରିକୁନ୍ଦ ବଜାରର ଅଧିକାଂଶ ଦୋକାନରେ ପାଣି ପଶିଯାଇଛି। ଗାଡ଼ି ଚଳାଚଳ ଓ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ ହୋଇଥିବା ବେଳେ ତରିକୁନ୍ଦ ନିକଟରେ ୨୦ ଫୁଟର ଘାଇ ହୋଇଥିବା ବାଲିଆ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଘାଇ ବନ୍ଦ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି। ଦଳେଇଘାଇ ନିକଟ ମାଛଗାଁ କେନାଲ ବନ୍ଧ ଭାଙ୍ଗି ହନୁମନ୍ତବ୍ରହ୍ମପୁର ଗାଁ ରାସ୍ତା ଓ ଚାଷ ଜମିରେ ପାଣି ଉବୁଟୁବୁ ହେଉଛି। ସେହିପରି ତରିକୁନ୍ଦ ନିକଟରେ ଆଉ ଏକ ଘାଇ ହୋଇଥିବା ଯୋଗୁଁ ଜଗତସିଂହପୁର-କଟକ ରାସ୍ତାରେ ପାଣି ଚାଲିଛି। ଏହାଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |