କେନ୍ଦ୍ରାପଡ଼ା,୧୬।୭ :ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ଭାରତର ତୃତୀୟ ମୁନ୍ ମିଶନ୍ ‘ଚନ୍ଦ୍ରୟାନ୍-୩’ର ସଫଳ ଉତ୍କ୍ଷେପଣ କରାଯାଇଛି। ଏହି ପ୍ରୋଜେକ୍ଟରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ମୁକୁନ୍ଦପୁର ଗ୍ରାମର ଶୁଭାଶିଷ ନାୟକ (୨୮) ସାମିଲ ଥିବା ଜଣାପଡ଼ିଛି। ଚନ୍ଦ୍ରପୃଷ୍ଠକୁ ଉତ୍କ୍ଷେପଣ ହୋଇଥିବା ଏଲ୍ଭିଏମ୍-୩ ଫ୍ୟାଟ୍ବୟ ନିର୍ମାଣରେ ନିୟୋଜିତ ଥିବା ଟେକ୍ନିସିଆନ୍ ଟିମ୍ରେ ସେ ସାମିଲ ହୋଇଥିଲେ। ଚନ୍ଦ୍ରାୟନର ସଫଳ ଉତ୍କ୍ଷେପଣ ଓ ଏହାର ନିର୍ମାଣ ଟିମ୍ରେ ଶୁଭାଶିଷଙ୍କ ଯୋଗଦାନ ରହିଥିବା ଜଣାପଡ଼ିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପରିବାରକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଶୁଭାଶିଷଙ୍କ ବାପା ମଳୟ ନାୟକ ଜଣେ ବ୍ୟବସାୟୀ। ଚାନ୍ଦୋଳ ବଜାରରେ ତାଙ୍କର ପୂଜା ସାମଗ୍ରୀ ଦୋକାନ ରହିଛି। ମା ନିର୍ମଳା ନାୟକ ଜଣେ ଗୃହିଣୀ। ସେ ସ୍ଥାନୀୟ ଦାନପୁର ପଞ୍ଚାୟତ ଦୋହଳିସ୍ଥିତ ବନମାଳୀ ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ୨୦୦୯ ମସିହାରେ ମାଟ୍ରିକ ପାସ୍ କରିବା ପରେ କଟକ ଜଗତପୁରସ୍ଥିତ ଏକ ଘରୋଇ ଆଇଟିଆଇରେ ଅଧ୍ୟୟନ କରିଥିଲେ। ଏହାପରେ ସେ ଭୁବନେଶ୍ୱରସ୍ଥିତ ସିଟିଟିସିରେ ୩ ବର୍ଷ ଅଧ୍ୟୟନ କରିଥିଲେ। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ହାସଲ ପରେ ସେ ୨୦୧୮ରେ ଇସ୍ରୋରେ ଜଣେ ଟେକ୍ନିସିଆନ୍ ଭାବେ ନିଯୁକ୍ତି ପାଇଥିଲେ। ନିଯୁକ୍ତି ପାଇବାର ୪ ବର୍ଷ ପରେ ସେ ଚନ୍ଦ୍ରୟାନ-୩ ପ୍ରୋଜେକ୍ଟରେ ସାମିଲ ହୋଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |