ଆଜି ଚିତାଲାଗି ଅମାବାସ୍ୟା,୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ,୧୭ା୭:ଆଜି ପବିତ୍ର ଚିତାଲାଗି ଅମାବାସ୍ୟା।  ଚିତଉ ଅମାବାସ୍ୟା ଲାଗି ଆଜି ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହ ମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ଅପରାହ୍ଣ ୨ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଜଣାଯାଇଛି । ସ୍ନାନପୂର୍ଣ୍ଣିମାରେ ଠାକୁରମାନେ ଅଣସରକୁ ବିଜେ କରିବା ସମୟରେ ଏହି ରତ୍ନଚିତା କଢ଼ାଯାଇଥିଲା ।ଶ୍ରୀମନ୍ଦିରେ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି। ମହାପ୍ରଭୁଙ୍କ ଠାରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯିବ।ସ୍ନାନପୂର୍ଣ୍ଣିମା ପୂର୍ବରୁ ରତ୍ନଖଚିତ ସ୍ୱର୍ଣ୍ଣ ଚିତାକୁ କାଢ଼ି ଦିଆଯାଇଥାଏ । ତାକୁ ପୁଣି ଥରେ ଚିତାଲାଗି ଅମାବାସ୍ୟାରେ ଲାଗି କରାଯାଏ। ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନ ସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଯ ଘରକୁ ବିଜେ କରିଥାନ୍ତି । ଏହା ପରେ ଶ୍ରୀଜିଉଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ । ପରେ ପତି ମହାପାତ୍ର, ବାଡ଼ଗ୍ରାହୀ ଦଇତାମାନେ ରତ୍ନ ସିଂହାସନାଧିଷ୍ଠିତ ଶ୍ରୀଜିଉଙ୍କର ଚିତା ଲାଗି କାର୍ଯ୍ୟ କରିଥାନ୍ତି । ଶ୍ରୀଜିଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅରେ ପାଟ ଡୋର ସାହାଯ୍ୟରେ ତିନିଟି ସ୍ୱର୍ଣ୍ଣ ଚିତାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ  । ଶ୍ରୀବଳଭଦ୍ରଙ୍କ ଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି। ଏହାର ଚାରି ପଟେ ପାଞ୍ଚଟି ବେଢରେ ଲାଗିଛି ମାଣିକ, ହୀରା, ମର୍କତ ଓ ନୀଳ ପଥର । ସେହିପରି ଶ୍ରୀଜଗନ୍ନାଥଙ୍କ ସ୍ୱର୍ଣ୍ଣଚିତା ମଝିରେ ରହିଛି ହୀରା । ଚିତାର ୭ଟି ବେଢ଼ରେ ମାଣିକ, ହୀରା, ପାନ୍ନା ଖଞ୍ଜା ହୋଇଛି। ସପ୍ତମ ବେଢ଼ର ଶୀର୍ଷରେ ପାନପତ୍ର ଆକୃତିର ଏକ ହୀରା ରହିଛି । ତାକୁ କୁହାଯାଏ ବ୍ରହ୍ମଜ୍ୟୋତି ହୀରା । ଦେବୀ ସୁଭଦ୍ରାଙ୍କ ଚିତା ମଝିରେ ଏକ ବଡ଼ ମାଣିକ ପଥର ରହିଛି।ସେହିପରି ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଧୂପରେ ଚିତଉ ପିଠା ଲାଗି ହେବାର ପରମ୍ପରା ଥିବା ବେଳେ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!