ଭୁବନେଶ୍ବର,୧୯।୭ : ଓଡ଼ିଆରେ ନାମଫଳକ ଲେଖି ନଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ଏଥର ନିସ୍ତାର ନାହିଁ। ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ ଅନୁସାରେ ଏବେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ। ବିଭାଗ ପକ୍ଷରୁ ରାଜଧାନୀ ସମେତ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ବରରେ ୧୦୯ଜଣ ବ୍ୟବସାୟୀଙ୍କୁ ନୋଟିସ୍ ହୋଇଛି। ତୁରନ୍ତ ଓଡ଼ିଆରେ ନାମଫଳକ ନଲେଖିଲେ ମୋଟା ଅଙ୍କର ଜରିମାନା ଏବଂ ଆବଶ୍ୟକ ପଡ଼ିଲେ ମାମଲା ରୁଜୁ କରିବ ଶ୍ରମ ବିଭାଗ। ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ। ଖିଲାପକାରୀଙ୍କ ପାଇଁ ଜରିମାନା ବ୍ୟବସ୍ଥା ବି କରାଯାଇଥିଲା। ପ୍ରଥମଥର ଉଲ୍ଲଂଘନ କରିଥିବା ଅନୁଷ୍ଠାନ ପାଇଁ ୧ ହଜାରରୁ ୫ ହଜାର ଟଙ୍କା ଏବଂ ଦ୍ବିତୀୟ ଥର ଉଲ୍ଲଂଘନ କରିଥିବା ଅନୁଷ୍ଠାନ ପାଇଁ ୨ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଥିଲା। ଏହାପରେ ଅଧିକାରୀଙ୍କ ମଧ୍ୟରେ ବୈଠକ ପରେ ବସିଲା, ନିୟମ ପାଳନ ନିମେନ୍ତ ଚିଠି ଦିଆନିଆ ବି ଚାଲିଲା। ହେଲେ ନିୟମ ପାଳନକୁ ଗୁରୁତ୍ବ ଦିଆଗଲା ନାହିଁ। ବେସରକାରୀ କଥା ଛାଡ଼, ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ନାମ ଫଳକ ଦେଖିବାକୁ ମିଳିଲା ନାହିଁ। ସରକାରଙ୍କ ଓଡ଼ିଆ ଭାଷାପ୍ରୀତିକୁ ନେଇ ପ୍ରଶ୍ନ ଉଠିବା ସହ ସରକାର ପ୍ରତ୍ୟକ୍ଷ ଓ ପରୋକ୍ଷରେ ଲଗାତାର ସମାଲୋଚନାର ଶିକାର ହେବା ପରେ ଏବେ ତତ୍ପରତା ପ୍ରକାଶ ପାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |