ନୂଆଦିଲ୍ଲୀ,୧୯।୭: କର୍ଣ୍ଣାଟକା ବିଧାନସଭାରେ ଆଜି ବିରୋଧୀ ବିଜେପିର ୧୦ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ଗୃହରେ ବିଶୃଙ୍ଖଳା କରିବା ସହ ଉପ ବାଚସ୍ପତି ରୁଦ୍ରପ୍ପା ଲମାନିଙ୍କ ଉପରକୁ କାଗଜ ଫୋପାଡ଼ି ବିରୋଧୀ ବିଜେପିର ୧୦ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ସେମାନଙ୍କୁ ଚଳିତ ବିଧାନସଭା ଅଧିବେଶନରେ ଆଉ ଗୃହରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। କର୍ଣ୍ଣାଟକା ବିଧାନସଭାର ବାଚସ୍ପତି ୟୁଟି ଖାଦେର ଆଜି ବିନା ଲଞ୍ଚ ବ୍ରେକରେ ଗୃହ କାର୍ଯ୍ୟକୁ ଜାରି ରଖିବାକୁ ରୁଲିଂ ଦେବାକୁ ବିଜେପି ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଥିଲା। ଏହାକୁ ନେଇ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ବିଜେପି ବିଧାୟକମାନେ କଂଗ୍ରେସ ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସରକାର ୨ ଦିନ ହେଲା ଆଇଏଏସ୍ ଅଫିସରଙ୍କୁ ବ୍ୟବହାର କରି ବିରୋଧୀ ଦଳର ନେତାମାନଙ୍କ ସହ ବୈଠକ କରୁଥିବା ବିଜେପି ବିଧାୟକମାନେ କହିଥିଲେ। ଏପରି ଅଭିଯୋଗ ଆଣି ସେମାନେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ| ବାଚସ୍ପତି ଖାଦେର ନଥିବାରୁ ଉପ ବାଚସ୍ପତି ରୁଦ୍ରପ୍ପା ଗୃହ କାର୍ଯ୍ୟର ପରିଚାଳନା କରିଥିଲେ। ଖାଦେର ଗୃହ କାର୍ଯ୍ୟ ପରିଚାଳନା କରୁଥିବା ବେଳେ କହିଥିଲେ ଯେ ଆଜି ଲଞ୍ଚ ବ୍ରେକ ରହିବ ନାହିଁ। କିନ୍ତୁ ଯେଉଁ ବିଧାୟକମାନେ ଚାହିଁବେ, ସେମାନେ ଖାଇବାକୁ ଯାଇ ପାରିବେ। ପରବର୍ତ୍ତୀ ସମୟରେ ସେମାନେ ଆସି ପୁଣି ଗୃହ କାର୍ଯ୍ୟରେ ଯୋଗଦେବେ। ଉପ ବାଚସ୍ପତି ଏହି ସମୟରେ ଗୃହ ପରିଚାଳନା କରୁଥିଲେ। ସେ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ କହିଥିଲେ ହେଁ ତାଙ୍କ କଥା କେହି ବି କର୍ଣ୍ଣପାତ କରି ନଥିଲେ। ଏତିକି ବେଳେ ବିଜେପି ବିଧାୟକମାନେ ଉପ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିଲେ। ଏହାପରେ ବିଶୃଙ୍ଖଳା ସୃଷ୍ଟି କରୁଥିବା କିଛି ବିଧାୟକଙ୍କୁ ମାର୍ଶାଲମାନେ ଗୃହରୁ ଟେକି ନେଇ ବାହାରେ ଛାଡ଼ିଥିଲେ। ପରବର୍ତ୍ତୀ ଅବସ୍ଥାରେ ୧୦ ଜଣ ବିଧାୟକଙ୍କୁ ବିଧାନସଭା ଅଧିବେଶନର ଅବଶିଷ୍ଟ ଦିନଗୁଡ଼ିକ ପାଇଁ ନିଲମ୍ବିତ କରାଯାଇଛି। କଂଗ୍ରେସ ପକ୍ଷରୁ ବିଜେପି ବିଧାୟଙ୍କ ଏପରି ବିଶୃଙ୍ଖଳାକୁ ନିନ୍ଦା କରାଯାଇଛି। ସେହିପରି ଉପ ବାଚସ୍ପତି ଆଜି ଦିନକ ପାଇଁ ଉକ୍ତ ଘଟଣା ପରେ ଗୃହ କାର୍ଯ୍ୟକୁ ମୁଲତବୀ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ଓ ଜେଡିଏସ୍ର ପ୍ରତିବାଦ ସତ୍ତ୍ୱେ କଂଗ୍ରେସ ସରକାର ବିନା ଆଲୋଚନାରେ ୫ଟି ବିଲ୍ ଗୃହରେ ପାରିତ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |