ପଟ୍ଟାମୁଣ୍ଡାଇ, ୨୦ା୭ : ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଏକ ଅଭାବନୀୟ କାଣ୍ଡ ଘଟିଛି। ସ୍ତ୍ରୀକୁ ପିଟି ମାରି ଦେବା ପରେ ସ୍ବାମୀ ମୃତଦେହକୁ ଘର ଭିତରେ ଜାଳି ଦେଇଛି। ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗକ୍ରମେ ପୁଲିସ ଅର୍ଦ୍ଧଦଗ୍ଧ ଶବ ଜବତ କରି ପତ୍ନୀହନ୍ତା ସ୍ବାମୀକୁ ଗିରଫ କରିଛି। ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଆମ୍ବେର ଗ୍ରାମର ବିଧାନ ରାୟ(୪୭) କଖାରୁଣୀ ବାଲିସାହି ଗ୍ରାମର ଆରତି ରାୟ(୪୨)ଙ୍କୁ ୨୦୦୫ ମସିହାରେ ବିବାହ କରିଥିଲା। ସେମାନଙ୍କର ତିନି ଝିଅ। ବଡ଼ ଝିଅ କଲେଜରେ ପଢୁଥିବା ବେଳେ ମଝିଆଁ ଝିଅ ଷଷ୍ଠରେ ଶ୍ରେଣୀରେ ପଢୁଛନ୍ତି। ସାନଝିଅ ଦିବ୍ୟାଙ୍ଗ। ବିବାହର ୨ରୁ ୩ ବର୍ଷ ପର୍ଯ୍ୟନ୍ତ ବିଧାନ ଓ ଆରତିଙ୍କ ପାରିବାରିକ ଜୀବନ ଠିକ୍ଠାକ୍ ଚାଲିଥିଲା। ପରେ ବିଧାନ ମଦ୍ୟପାନ କରି ଅଧିକାଂଶ ସମୟରେ ଆରତିଙ୍କୁ ମାଡ଼ପିଟ କରିବା ଆରମ୍ଭ କରି ଦେଇଥିଲା। ଏ ସମ୍ପର୍କରେ ଆରତି ବାପଘରକୁ ଜଣାଇବା ପରେ ଭାଇମାନେ ବୁଝାସୁଝା କରି ଘଟଣାର ସମାଧାନ କରୁଥିଲେ। ତେବେ କୌଣସି କାରଣକୁ ନେଇ ଗତକାଲି ବିଳମ୍ବିତ ରାତିରେ ବିଧାନ ଆରତିଙ୍କୁ ପ୍ରବଳ ମାଡ଼ ମାରିଥିଲା। ଏଥିରେ ଆରତିଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ବିଧାନ ଘର ସଂଲଗ୍ନ ଏକ ଚାଳଘର ଭିତରେ କାଠ ରଖି ଆରତିଙ୍କ ମୃତଦେହରେ ନିଆଁ ଲଗାଇ ଦେଇଥିଲା। ରାତି ପ୍ରାୟ ୨ଟା ବେଳେ ମଝିଆଁ ଝିଅ ନିଦରୁ ଉଠି ମାକୁ ନ ପାଇ ଖୋଜାଖୋଜି କରିଥିଲେ। ଏହି ସମୟରେ ଚାଳ ଘରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ପରେ ୩ ଝିଅ ଜେଜେ ମାଙ୍କ ସହ ଚାଳ ଘର ନିକଟକୁ ଯାଇ ଆରତିଙ୍କ ମୃତଦେହ ଜଳୁଥିବା ଦେଖିବାକୁ ପାଇଥିଲେ। ସେତେବେଳକୁ ମୃତଦେହ ଅର୍ଦ୍ଧଦଗ୍ଧ ହୋଇ ସାରିଥିଲା।ଏହି ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |