ଭୁବନେଶ୍ବର, ୨୦ା୭ :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୮ ଜିଲାରେ ୮ଟି ଏକ୍ସଟ୍ରା ହାଇ ଭୋଲଟେଜ ଗ୍ରୀଡ୍ ସବ୍ଷ୍ଟେଶନ ଲୋକାର୍ପିତ କରିଛନ୍ତି। ଅନୁଗୋଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ଼, କୋରାପୁଟର ବୋରିଗୁମ୍ମା, ଝାରସୁଗୁଡ଼ାର ଲଖନପୁର, ସୁନ୍ଦରଗଡ଼ର କୁମାରମୁଣ୍ଡା, ସମ୍ବଲପୁରର ବାମରା, ବରଗଡ଼ର ଭଟ୍ଲି ଏବଂ ଭଦ୍ରକରେ ଏହିସବୁ ଗ୍ରୀଡ୍ ସବଷ୍ଟେଶନ ପାଇଁ ରାଜ୍ୟ ସରକାର ୬୫୦ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏହାଦ୍ବାରା ରାଜ୍ୟର ୨ ଲକ୍ଷ ୨୦ ହଜାର ଉପଭୋକ୍ତା ଉପକୃତ ହେବେ।ଭିଡିଓ କନ୍ଫରେନ୍ସ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ବାରା ଜନସାଧାରଣ ଗୁଣାତ୍ମକ ଓ ନିରନ୍ତର ବିଜୁଳି ପାଇପାରିବେ। ସମସ୍ତଙ୍କ ପାଇଁ ବିଜୁଳିର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ଏକ ବଡ଼ ସଫଳତା। ରାଜ୍ୟରେ ୧୬,୩୦୦ ସର୍କିଟ କିଲୋମିଟର ଦୀର୍ଘ ବିଦ୍ୟୁତ୍ ସରବରାହ ନେଟ୍ୱର୍କ ରହିଛି। ୧୯୩ଟି ଏକ୍ସଟ୍ରା ହାଇ ଭୋଲଟେଜ ଗ୍ରୀଡ୍ ସବଷ୍ଟେଶନ ମଧ୍ୟ ନିର୍ମାଣ କରାଯାଇଛି। ରାଜ୍ୟ ସହରାଞ୍ଚଳର ୯୯ ପ୍ରତିଶତ ଓ ଗ୍ରାମାଞ୍ଚଳର ୯୭ ପ୍ରତିଶତ ଲୋକଙ୍କୁ ବର୍ତ୍ତମାନ ବିଜୁଳିର ସୁବିଧା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୀତି ଆୟୋଗ ରିପୋର୍ଟକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟର ୬୦ ଲକ୍ଷରୁ ଅଧିକ ଲୋକ ଗରିବୀରୁ ଉପରକୁ ଉଠିଛନ୍ତି। ଏଥିରେ ଗୁଣାତ୍ମକ ବିଦ୍ୟୁତ୍ର ଏକ ବଡ଼ ଭୂମିକା ରହିଛି। ଆଧୁନିକ ଅର୍ଥନୀତିର ମୁଖ୍ୟ ଆଧାର ହେଉଛି ବିଜୁଳି। ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ବିଜୁଳି ଅତି ଜରୁରୀ। ଲୋକଙ୍କୁ ନିରନ୍ତର ବିଜୁଳି ଯୋଗାଇବା ସରକାରଙ୍କ ଏକ ମୁଖ୍ୟ ଲକ୍ଷ୍ୟ ଓ ଏଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |