ଭୁବନେଶ୍ୱର,୨୦ା୭:ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯା଼ଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହୋଇଛି। ଏହାସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏହି ଲଘୁଚାପ କ୍ଷେତ୍ର ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଆଜି ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି ଓ ଗଜପତି ଜିଲ୍ଲା । ଏହି ଦୁଇ ଜିଲ୍ଲାର ବହୁ ସ୍ଥାନରେ ପୋଲ ଉପରେ ପାଣି ଚାଲୁଥିବାରୁ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼କୁ ଯୋଗାଯୋଗ ଠପ୍ ହୋଇଛି । ପାରଳାଖେମୁଣ୍ଡିରେ ପୋଲ ଭାସି ଯିବାରୁ ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଲଗାଣ ବର୍ଷା ଯୋଗୁଁ ସବୁଆଡ଼େ ନଈ-ନାଳ ଫୁଲି ଜଳ ପ୍ଲାବନ ସ୍ଥିତି । ଚିତ୍ରକୋଣ୍ଡା ଠାରୁ ସ୍ୱାଭିମାନ ଅଞ୍ଚଳ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି। ମୋଟୁ କନ୍ୟାଶ୍ରମ ପୋଲ ବୁଡ଼ିଯାଇଥିବାରୁ କାଲିମେଳାରୁ ପଡ଼ିଆ ଓ ଏମଭି-୩୭ ପୋଲ ବୁଡ଼ିଥିବାରୁ ମାଲକାନଗିରି-କାଲିମେଳା ପରସ୍ପରଠାରୁ ବିଛିନ୍ନ ହୋଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |