୧୯ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର,୧୧ା୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।ରାଜ୍ୟର ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା ୪୩୭୩ଟି ପଂଚାୟତରେ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍  ଖୋଲିବ । ଏଥିପାଇଁ ୫କୋଟି ଟଙ୍କାର ବଜେଟ୍ ସହାୟତା ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପ୍ରଦାନ କରାଯିବ । ଏହି ବ୍ୟାଙ୍କଗୁଡ଼ିକୁ ପଂଚାୟତରେ ନିଜର ଶାଖା ଖୋଲିବା ପାଇଁ ୫ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ ଗୃହ, ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ ବର୍ଷ ପାଇଁ ହେବାକୁ ଥିବା ଆବଶ୍ୟକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ପ୍ରସ୍ତାବ ସମେତ ମୋଟ ୧୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ନୂଆ ଓଡ଼ିଶା ଯୋଜନାକୁ ମଞ୍ଜୁରୀ ମିଳିଛି। ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ରୀଛାତ୍ରଙ୍କ ପାଇଁ ଆଡ୍‌ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷିତ ଯୁବପିଢ଼ିଙ୍କ ପାଇଁ ଡିଜିଟାଲ-ଇ ପାଠ୍ୟକ୍ରମ ରଖାଯିବ। ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବତୀ/ଯୁବକଙ୍କୁ ଦକ୍ଷ କରାଯିବା ନେଇ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ୩୮୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ କରାଯାଇଛି। ଉନ୍ନତ ମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ, ନିଯୁକ୍ତି ଦକ୍ଷତା କ୍ଷେତ୍ରରେ ଏହା ସହାୟକ ହେବ। ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ଯୋଜନା ଉପରେ ମଧ୍ୟ ମୋହର ଲାଗିଛି। ଓଡ଼ିଶା ମୋବାଇଲ ଟାଓ୍ବାର ଓ ଟେଲିଗ୍ରାଫ୍‌ ନୀତିରେ ସଂଶୋଧନକୁ ମଞ୍ଜୁରୀ ମିଳିଥିବା ବେଳେ ବ୍ୟାଙ୍କ ଶାଖା ନ ଥିବା ପଞ୍ଚାୟତକୁ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦିଆଯିବ। ରାଜ୍ୟର ୪୩୭୩ ପଞ୍ଚାୟତରେ ସିଏସ୍‌ପି ପ୍ଲସ୍‌ ବ୍ୟାଙ୍କିଙ୍ଗ ଆଉଟଲେଟ୍‌ ଖୋଲିବା ପ୍ରସ୍ତାବ ଉପରେ ମୋହର ବାଜିଛି। ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ପାନୀୟ ଜଳ ପ୍ରକଳ୍ପ ହେବା ନେଇ ଅନୁମୋଦିତ ହୋଇଛି। ସେହିପରି ନାଇଜର ପରିସରରେ କ୍ୟାନ୍‌ସର ହସ୍ପିଟାଲ ପ୍ରତିଷ୍ଠା ହେବ। ଏନେଇ ୪୮.୮୪୨ ଏକର ଜମି ସରକାର ପ୍ରଦାନ କରିବେ। ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୋଟ ୧୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରେ ରାଜ୍ୟର ଯେଉଁସବୁ ପଂଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ନାହିଁ ସେଠାରେ ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଖୋଲାଯିବ । ଚଳିତ ଆର୍ଥିକ ବର୍ଷରେ ୨୦୨୩-୨୪ ରେ ସିଏସପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ୍ ମାଧ୍ୟମରେ ରାଜ୍ୟର ଥିବା ସମସ୍ତ ୪୩୭୩ଟି ବ୍ୟାଙ୍କବିହୀନ ପଂଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଏହି ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ । ଏହି ଯୋଜନା ରାଜ୍ୟର ସମସ୍ତ ବ୍ୟାଙ୍କ ବିହୀନ ପଂଚାୟତରେ ରହୁଥିବା ଲୋକମାନଙ୍କୁ ମାଗଣାରେ ସମସ୍ତ ପ୍ରକାରର ବ୍ୟାଙ୍କିଙ୍ଗ ସେବା ମିଳିପାରିବ । ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାମାନେ ଦ୍ୱାରଦେଶରେ ବ୍ୟାଙ୍କିଙ୍ଗ ସେବା ପାଇପାରିବେ ଓ ଠିକ୍ ସମୟରେ ସରକାରଙ୍କ ଡିବିଟି ଯୋଜନାର ସୁବିଧା ମଧ୍ୟ ପାଇପାରିବେ । ରାଜ୍ୟର ମୋଟ ୬୭୯୮ଟି ପଂଚାୟତ ମଧ୍ୟରୁ ଏବେ ୪୩୭୩ଟି ପଂଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!