ନୂଆଦିଲ୍ଲୀ,୨୩ା୮: ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ସୂକ୍ଷ୍ମ ଅବତରଣ କଲା ଚନ୍ଦ୍ରଯାନ-୩। ଇସ୍ରୋ ରଚିଛି ଇତିହାସ, ଚନ୍ଦ୍ରପୃଷ୍ଠରେ ଭାରତର ଭୌଗୋଳିକ ରେଖା ଆଙ୍କିବାରେ ହୋଇଛି ସଫଳ।ଏହାସହିତ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ମିଳିଛି ଅଭୂତପୂର୍ବ ସଫଳତା। ଆମେରିକା, ଋଷ ଏବଂ ଚୀନ୍ ପରେ ଚତୁର୍ଥ ଦେଶ ଭାବେ ଭାରତ ଏହି ସଫଳତା ହାସଲ କରିଛି। ଭାରତର ଚନ୍ଦ୍ରଯାନ-୩ ଅଭିଯାନକୁ ସାରା ପୃଥିବୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ୪ ମିନିଟ୍ ରେ ଅବତରଣ କରିବାର ସଫଳ ହୋଇଛି ଇସ୍ରୋ। ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ-୩ର ଚନ୍ଦ୍ରାବତରଣ କାର୍ଯ୍ୟକ୍ରମକୁ ଜୋହାନ୍ସବର୍ଗରୁ ଆଭାସୀ ଜରିଆରେ ଅବତରଣର ସାକ୍ଷୀ ହୋଇଛନ୍ତି।ଭାରତୀୟ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଶ୍ରେଷ୍ଠ ନିଦର୍ଶନ ସ୍ୱରୂପ ଭାରତର ଏହି ଅଭିଯାନ ଦେଶ ପାଇଁ ଗୌରବ ଆଣିଛି। ସୂକ୍ଷ୍ମ ଅବତରଣ ପାଇଁ ସମସ୍ତ ଦିଗ ଅନୁକୂଳ ରହିଥିବା ପୂର୍ବରୁ ଇସ୍ରୋ ପକ୍ଷରୁ କୁହାଯାଇଥିଲା। ଚନ୍ଦ୍ରଯାନ-୩ର ଅବତରଣ ଦୃଶ୍ୟକୁ ଦେଶବାସୀ ଜାତୀୟ ଟେଲିଭିଜନ ଚ୍ୟାନେଲ୍ ଦୂରଦର୍ଶନ ସହିତ ଅନ୍ୟ ଟିଭି ଚ୍ୟାନେଲ୍, ଇସ୍ରୋ ୱେବ୍ସାଇଟ୍, ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଫେସ୍ବୁକ୍ ପେଜ୍ରେ ଏହି ପ୍ରକ୍ରିୟାକୁ ସିଧାପ୍ରସାରଣରେ ଦେଖିଥିଲେ।ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩ର ଅବତରଣ ପୂର୍ବରୁ ଲ୍ୟାଣ୍ଡର ‘ବିକ୍ରମ’ ର ସମସ୍ତ ସେନ୍ସର୍କୁ ସକ୍ରିୟ କରିଥିଲେ। ଏହାପରେ ଭାରତୀୟ ବୈଜ୍ଞାନିକମାନେ ବୈଷୟିକ ଜ୍ଞାନର ଶ୍ରେଷ୍ଠ ପ୍ରଦର୍ଶନ କରି ସଠିକ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବାରେ ସଫଳ ହୋଇଥିଲେ। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଏହି ସଫଳତା ପାଇଥିଲା। ପୂର୍ବରୁ ଆମେରିକା, ରୁଷ ଓ ଚୀନ୍ ସଫଳତାର ସହିତ ଚନ୍ଦ୍ରଯାନ ପଠାଇଥିଲେ ମଧ୍ୟ ଦକ୍ଷିଣ ଗୋଲାର୍ଦ୍ଧରେ ଆଜିପର୍ଯ୍ୟନ୍ତ କୌଣସି ଦେଶ ସେମାନଙ୍କର ଯାନକୁ ଅବତରଣ କରିପାରି ନାହାନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |