ଭୁବନେଶ୍ବର ,୫ା୯: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ସନ୍ଧ୍ୟା ସମୟରେ ରାଜଧାନୀର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । କେବଳ ସହର ଭିତର ରାସ୍ତା ନୁହେଁ, ଜାତୀୟ ରାଜପଥରେ ବି ଚକା ଗଡୁନି। ସକାଳ ୯ରୁ ପୂର୍ବାହ୍ଣ ୧୧ଟା ଆଉ ଅପରାହ୍ଣ ୪ରୁ ରାତି ସାଢ଼େ ୯ଟା ଯୁଆଡ଼େ ଗଲେ ସିଆଡ଼େ ଟ୍ରାଫିକ୍ ସମସ୍ୟା ଭିତରେ ଲୋକେ ଫସୁଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଛି, ଅସମ୍ଭାଳ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ରଖି ଭାରିଯାନ ପ୍ରବେଶ ଉପରେ କମିସନରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ସନ୍ଧ୍ୟା ୫ରୁ ସାଢ଼େ ୭ଟା ମଧ୍ୟରେ ସହର ମଧ୍ୟ ଜାତୀୟ ରାଜପଥରେ ଭାରିଯାନ ଚଳପ୍ରଚଳ କରିପାରିବ ନାହିଁ ବୋଲି ପୁଲିସ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ସମୟ ମଧ୍ୟରେ ରାଜଧାନୀର ଆଇଗିଣିଆ ଛକଠାରୁ ହଂସପାଳ ଛକ, ସେହିପରି କଟକ ମଧୁପାଟଣା ଛକଠାରୁ ଶିଖରପୁର ଛକ ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ କରିପାରିବ ନାହିଁ। ଜରୁରୀକାଳୀନ ସେବା ଗାଡ଼ି ଯାତାୟାତ କରିପାରିବ। ଏହି ସମୟ ମଧ୍ୟରେ ଏସବୁ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦେଖା ଦେଉଛି। ସାଧାରଣ ଲୋକେ ଯାତାୟାତ କରିବା କଷ୍ଟକର ହେଉଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଏପରି କଟକଣା କରାଯାଇଛି। ଆଜିଠାରୁ ଅନିର୍ଦ୍ଦଷ୍ଟ କାଳ ଯାଏ ଏହି କଟକଣା ବଳବତ୍ତର ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |