ଭୁବନେଶ୍ଵର,୬/୯: ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ଗବେଷକ ରବୀନ୍ଦ୍ର ନାରାୟଣ ମିଶ୍ର ଆଉ ନାହାନ୍ତି। ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କର ମୃତ୍ୟୁ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ସଂଯୋଗବଶତଃ, ନିଜ ଜନ୍ମଦିବସରେ ହିଁ ଆରପାରିକୁ ବାହୁଡ଼ି ଯାଇଛନ୍ତି ଶ୍ରୀ ମିଶ୍ର। ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ, ‘ଆକାଶ ଦୀପ’ର ବିଶିଷ୍ଟ କଥାକାର ତଥା ଲୋକପ୍ରିୟ ସ୍ତମ୍ଭ ‘କଥାଟିଏ କହୁଁ’ର ଲେଖକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବିୟୋଗରେ ରାଜ୍ୟର ଧର୍ମ-ସଂସ୍କୃତି ପରିସରରେ ଶୋକ ଛାୟା ଖେଳିଯାଇଛି।ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ପ୍ରାକ୍ତନ ପ୍ରଶାସକ ରହିଥିବା ଶ୍ରୀ ମିଶ୍ରଙ୍କର ମହାପ୍ରଭୁଙ୍କ ନୀତିକାନ୍ତି ଓ ମନ୍ଦିରରେ ପ୍ରଚଳିତ ପ୍ରଥାପରମ୍ପରା ଉପରେ ଅଗାଧ ଜ୍ଞାନ ଥିଲା। ସେ ଶ୍ରୀଜଗନ୍ନାଥଙ୍କୁ ନେଇ ତାଙ୍କର ଅନନ୍ୟ ଅନୁଭୂତି ଓ ସେବାର୍ଜିତ ଅଭିଜ୍ଞତା ଆଧାରିତ ବହୁ ରଚନା ପ୍ରସ୍ତୁତ କରିଛନ୍ତି। ମହାପ୍ରଭୁଙ୍କ ରଘୁନାଥ ବେଶ ଦେଖିବା ପାଇଁ ସ୍ବର୍ଗତ ମିଶ୍ର ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ଶ୍ରୀ ମିଶ୍ରଙ୍କ ଘର ଜଟଣୀ ନିକଟସ୍ଥ କୁଦିଆରୀ ଗ୍ରାମରେ ଓ ସେ କୁଦିଆରୀ ହାଇସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ଥିଲେ। ଅବସର ପରେ ସେ ଭୁବନେଶ୍ଵରର ଭିଏସ୍ଏସ୍ ନଗରରେ ରହୁଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |