ପ୍ରଭୁ ଗୋପୀନାଥଙ୍କ ପୀଠରେ ଆରମ୍ଭ ହେଲା ଜବନ କବି ଉଜିରଙ୍କ ଶହେ ବର୍ଷର ଲୋକନାଟକ ‘ନନ୍ଦଉତ୍ସବ’

ରାଜକନିକା,୮/୯(ଓଡ଼ିଆନ୍‌):ରାଜକନିକା ବ୍ଳକ୍ ବଡ଼ାଗର ଗ୍ରାମରେ ରହିଛି ବହୁ ପୁରାତନ ବାବା ଗୋପୀନାଥଙ୍କ ପୀଠସ୍ଥଳୀ । ରାଜକନିକା ବ୍ଲକ୍ ସମେତ ଆଖପାଖ ଅଂଚଳର ହଜାର ହଜାର ଲୋକଙ୍କର ପ୍ରତ୍ୟେକ୍ଷ ଦେବତା ଅଟନ୍ତି ପ୍ରଭୁ ଗୋପୀନାଥ । ପ୍ରଭୁ ଗୋପୀନାଥଙ୍କ ପ୍ରମୁଖ ଉତ୍ସବ ହେଉଛି ଜନ୍ମାଷ୍ଟମୀ । ଧୂମଧାମ୍‌ରେ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା । ଏହା ପରଦିନ ପାଳିତ ହୋଇଛି ନନ୍ଦଉତ୍ସବ । ତାହାପୁଣି ମନ୍ଦିର ସମ୍ମୁଖରେ । ପ୍ରଭୁଙ୍କ ଆଗରେ କଳାକାର ମାନେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନନ୍ଦଉତ୍ସବ ଅଭିନୟ କରିଛନ୍ତି । ହୁଳହୁଳି, ରହିବୋଲ ସାଙ୍ଗକୁ ଘଣ୍ଟବାଦ୍ୟରେ ପ୍ରକମ୍ପିତ ହୋଇଉଠିଥିଲା ପୀଠସ୍ଥଳୀ । ସତେଯେମିତି ପ୍ରଭୁଶ୍ରୀକୃଷ୍ଣ ପୁଣି ଥରେ ମର୍ତ୍ତମଣ୍ଡଳକୁ ଯେମିତି ଓହ୍ଲାଇଆସିଛନ୍ତି । ଏମିତିକି ଉଗ୍ରସେନ ବାଟଓଗାଳିବା ପରେ ପ୍ରଭୁ ଗୋପୀନାଥ ସ୍ୱୟଂ ମନ୍ଦିରରୁ ପଦାକୁ ଆସିବାର ଦୃଶ୍ୟ ହୃଦୟସ୍ପର୍ଶୀ ହୋଇପଡ଼ିଥିଲା ।

nanda ustav Rajkanika 1

ପ୍ରଭୁଙ୍କ ମାନବୀୟ ଲୀଳା ଦେଖି ସମସ୍ତେ ଚକିତ୍ ହୋଇଯାଇଥିଲେ । ଏକାଠି ଆବାଳବୃଦ୍ଧ ବନିତା ପ୍ରସାଦସେବନ କରି ଆନନ୍ଦଲାଭ କରିଥିଲେ । ଏଭଳି ଭାବମୟ ପରିବେଶ ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ପରେ ଶେଷ ହୋଇଥିଲା ଲୋକନାଟକ ନନ୍ଦଉତ୍ସବ । ସାଲବେଗଙ୍କ ପରେ ଓଡ଼ିଶାର ଦ୍ୱିତୀୟ ସାଲବେଗ ଭାବେ ପରିଚିତ ରାଜକନିକା ବଡ଼ତଇଳା ଗ୍ରାମର ଜବନ କବି ଉଜିର ବେଗ୍ । ସ୍ୱର୍ଗତ ବେଗ୍ ଜଣେ ମୁସଲମାନ ସଂମ୍ପ୍ରଦାୟର ସନ୍ତାନ ହୋଇଥିଲେ ମଧ୍ୟ ହିନ୍ଦୁ ଦେବତା ଶ୍ରୀକୃଷ୍ଣ ଓ ପରବର୍ତୀ ସମୟରେ ଶ୍ରୀଜଗନ୍ନାଥଙ୍କର ଭକ୍ତ ରୂପେ ସ୍ୱ ଜୀବନକୁ ଉତ୍ସର୍ଗ କରିଥିଲେ । ଏହି ଜବନ କବି ଶହେ ବର୍ଷ ତଳେ ରଚନା କରିଥିଲେ ‘ନନ୍ଦଉତ୍ସବ’ । ଯାହାର ବିଷୟବସ୍ତୁ ଶ୍ରୀକୃଷ୍ଣ ନନ୍ଦଘରେ ପ୍ରବେଶ ଠାରୁ କଂସ ବଧ ପର୍ଯ୍ୟନ୍ତ । ସ୍ୱର, ସାବଲୀଳ, ନାନା ପୁରାତନ ସ୍ୱର ସଂଯୋଜନାରେ ପୂର୍ଣ୍ଣ ସଂଗୀତର ମୂର୍ଚ୍ଛନା । ପରବର୍ତୀ ସମୟରେ କୃଷ୍ଣ ଚେତନା ତାଙ୍କର ଜାଗ୍ରତ ହୋଇଥିଲା । ଫଳରେ ସେ ଚରନା କରିଥିଲେ ‘ନନ୍ଦଉତ୍ସବ’ । ଆରସା ଗ୍ରାମରେ ପ୍ରଥମେ ‘ନନ୍ଦଉତ୍ସବ’ ଗୀତିନାଟ୍ୟ ଆରମ୍ଭ କରାଯାଇଥିଲା । କବି ଉଜିର ନିଜେ ନନ୍ଦ ଭୂମିକାରେ ଅଭିନୟ କରୁଥିଲେ । ବଡ଼ାଗର ଗ୍ରାମର ପ୍ରଭୁ ଗୋପୀନାଥ ଥିଲେ ତାଙ୍କର ଆରାଧ୍ୟ ଦେବତା । ସାତରାତି ଧରି ନନ୍ଦ ଉତ୍ସବ ଅନୁଷ୍ଠିତ ହେଉଥିଲା । ତତ୍କାଳୀନ ସମୟରେ ସମଗ୍ର କନିକା ଅଂଚଳରେ ଲୋକନାଟକ ଭାବେ ଏହା ଏତେ ଲୋକପ୍ରିୟ ହୋଇଥିଲାଯେ, ପ୍ରତିବର୍ଷ ପରିବେଷଣ କରାଯାଇଥିଲେ ମଧ୍ୟ ଲୋକେ ଦେଖିବାକୁ ଭୁଲୁନଥିଲେ । ଆରସା ଗ୍ରାମରେ କ୍ରମାଗତ ଭାବେ ୧୯୮୮ ମସିହା ପର୍ଯ୍ୟନ୍ତ ଏହି ନନ୍ଦଉତ୍ସବ ଲୋକନାଟକ ମଂଚସ୍ଥ ହୋଇଚାଲୁଥିଲା । ହେଲେ ଧୀରେ ଧୀରେ ପ୍ରୋତ୍ସାହନ ନମିଳିବାରୁ ବନ୍ଦ ହୋଇଯାଇଥିଲା ଏହି ‘ନନ୍ଦଉତ୍ସବ’ । ପରବର୍ତୀ ସମୟରେ ବଡ଼ାଗର କଳାକାର ମାନେ ଏହି ନନ୍ଦଉତ୍ସବକୁ ବଂଚାଇ ରଖିବାକୁ ବହୁ ଉଦ୍ୟମ ଜାରି ରଖିଛନ୍ତି । ମନ୍ଦର ପରିଚାଳନା କମିଟି, ପୂଜକମଣ୍ଡଳୀ, ବଡ଼ାଗର ଗ୍ରାମବାସୀ ଏବଂ ପ୍ରଭୁ ଗୋପୀନାଥଙ୍କ ଭକ୍ତମାନଙ୍କ ପ୍ରଚେଷ୍ଠା ଏବଂ ଉତ୍ସାହରୁ ସୁନ୍ଦର ଅଭିନୟ ମାଧ୍ୟମରେ ପୁରାତନ ଦୃଶ୍ୟରାଜିକୁ ଉଜ୍ଜୀବିତ୍ କରିପାରିଛନ୍ତି । କନିକାର ପୂର୍ବପରମ୍ପରାକୁ ରକ୍ଷା କରିବାକୁ ଉଦ୍ୟମ ଆରମ୍ଭ କରାଯାଇଥିବାରୁ ରାଜକନିକା ଅଞ୍ଚଳରେ ସାଧାରଣରେ ପ୍ରଶଂସା କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!