ଆନନ୍ଦ ବଜାରରେ ଅବଢ଼ା ଦର ନେଇ ବାହାରିଲାନି ନିଷ୍କର୍ଷ

ପୁରୀ,୧୪ା୯: ଆନନ୍ଦ ବଜାରରେ ଶୃଙ୍ଖଳା ନେଇ  ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଦର ନିର୍ଧାରଣ ନେଇ ନିଷ୍କର୍ଷ ବାହାରି ପାରି ନାହିଁ। ବାରମ୍ବାର ବୈଠକ ପରେ ମଧ୍ୟ ଅବଢ଼ା ଦର ଲଗାଇବା ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରୁନି ଶ୍ରୀମନ୍ଦିର ପ୍ରଶାସନ। ସୁଆର ମହାସୁଆର ନିଯୋଗ କୋର‌୍ କମିଟି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କ ସହ ପ୍ରଶାସନର ଅଧିକାରୀମାନେ ଆଜି ୧ ଘଣ୍ଟା ଧରି ଆଲୋଚନା କରିଥିଲେ ମଧ୍ୟ ଅବଢ଼ା ଦର ନିର୍ଦ୍ଧାରଣ ପ୍ରସଙ୍ଗ ଆଲୋଚନା ପରିସରକୁ ଆସିଲା ନାହିଁ।ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଆନନ୍ଦ ବଜାରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୁଆର ମହାସୁଆର ନିଯୋଗର ୬ ଜଣିଆ କମିଟିକୁ ସହଯୋଗ କରିବା ଲାଗି ସୁପର୍‌ଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ତତ୍ତ୍ବାବଧାନରେ ୨ ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଆନନ୍ଦବଜାରର ସୌନ୍ଦର୍ଯ୍ୟୀକରଣ ପାଇଁ ଅବଢ଼ା ବିକ୍ରି ହେଉଥିବା ସ୍ଥାନରେ ଜରି ପାଲ ନଟାଣି ସେଡ୍ କରିବାକୁ ନିଷ୍ପତ୍ତି ହୋଇଥିଲା। ଶୁଦ୍ଧ ଓମ୍‌ଫେଡ୍‌ ଘିଅରେ ମହାପ୍ରସାଦ ପ୍ରସ୍ତୁତି ନେଇ ଜୋର ଦିଆଯାଇଥିଲା। ତେବେ ଓମ୍‌ଫେଡ୍‌ ଘିଅରେ ମହାପ୍ରସାଦ ପ୍ରସ୍ତୁତି ଦ୍ବାରା ଅବଢ଼ା ଦର ଆହୁରି ବୃଦ୍ଧି କରିବାକୁ ପଡ଼ିବ ବୋଲି ସୁଆର ମହାସୁଆର କୋର୍‌ କମିଟିର କିଛି ସଦସ୍ୟ କହିଥିଲେ। ଏହାବ୍ୟତୀତ ଭକ୍ତମାନେ ପାନୀୟ ଜଳ ପାଇଁ ଭୋଗୁଥିବା ସମସ୍ୟା ଦୂର ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ଆଲୋଚନା ହୋଇଥିଲା। ଶୃଙ୍ଖଳା ଉପରେ ନଜର ରଖିବାକୁ ଆନନ୍ଦବଜାର ପରିସରକୁ ସିସିଟିଭି ଜରିଆରେ ନୀରିକ୍ଷଣ କରାଯିବ ବୋଲି ଆଲୋଚନା ହୋଇଥିଲା।ତେବେ ବୈଠକରେ ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ କିମ୍ବା ମାଗଣା ମହାପ୍ରସାଦ ବଣ୍ଟନ ନେଇ କୌଣସି ନିଷ୍ପତ୍ତିି ହୋଇ ନ ଥିବା ଜଣାପଡ଼ିଛି। ଅପରପକ୍ଷରେ ଆନନ୍ଦ ବଜାରରେ ଅଣସୁଆରଙ୍କୁ ଚିହ୍ନଟକରି ବାହାର କରିଦିଆଯାଇଥିବା ବୈଠକରେ ସୂଚନା ଦିଆଯାଇଥିବା କୁହାଯାଇଛି। କେବଳ ସୁଆର ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ରହିବେ। ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦେବା, ଜରି କାଢ଼ି ଶେଡ୍‌ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ସେହିପରି ଭଲ ଘିଅ ଅର୍ଥାତ୍‌ ଓମ୍‌ଫେଡ୍‌ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ବୈଠକରେ ଆଲୋଚନା ହୋଇଛି। ଏଥିସହିତ ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା ହେବ। ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣସୁପକାର ଓ ଅଣସେବାୟତଙ୍କ ଆନନ୍ଦବଜାର ପ୍ରବେଶ ଉପରେ ରୋକ ଲଗାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!