ନୂଆଦିଲ୍ଲୀ, ୧୪ା୯: କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ କରି ୧୭ ତାରିଖରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେଉଥିବା ସଂସଦର ବିଶେଷ ଅଧିବେଶନ ପୂର୍ବରୁ ୧୭ ତାରିଖ ଅପରାହ୍ନ ୪.୩୦ରେ ସମସ୍ତ ଦଳର ଫ୍ଲୋର ନେତାମାନଙ୍କ ବୈଠକ ବସିବ। ସମାନ ନିମନ୍ତ୍ରଣ ନେତାମାନଙ୍କୁ ଇ-ମେଲ ଯୋଗେ ମଧ୍ୟ ପଠାଇ ଦିଆଯାଇଛି। ଚିଠି ପଠାଯିବ ବୋଲି ସେ କହିଛନ୍ତି। ଏହାକୁ ସେ କନ୍ନଡ ଭାଷାରେ ମଧ୍ୟ ଲେଖିଛନ୍ତି। କେନ୍ଦ୍ର ସରକାର ୧୮ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇଥିବା ବେଳେ ଏହି ଅବସରରେ ୪ଟି ବିଲ୍ ଆଗତ କରାଯିବ ବୋଲି ଏକ ବୁଲେଟିନ୍ ଜାରି କରାଯାଇଛି। ଅଧିବେଶନର ଦିନକ ପୂର୍ବରୁ ସରକାର ସର୍ବଦଳୀୟ ବୈଠକ ମଧ୍ୟ ଡକାଇଛନ୍ତି। ଆସନ୍ତା ୧୭ ତାରିଖ ଅପରାହ୍ନ ୪ଟା ୩୦ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସ(ପୂର୍ବର ଟ୍ବିଟର)ରେ ପୋଷ୍ଟ୍ କରିଛନ୍ତି। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିବସରେ ୭୫ ବର୍ଷର ସଂସଦୀୟ ଯାତ୍ରା, ଉପଲବ୍ଧି, ଅନୁଭବ ଓ ସ୍ମୃତିକୁ ନେଇ ଚର୍ଚ୍ଚା ହେବ। ରାଜ୍ୟସଭାରେ ପୋଷ୍ଟ୍ ଅଫିସ ବିଲ୍-୨୦୨୩ ଏବଂ ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍ ଆଗତ ହେବ। ଏହା ସହିତ ଲୋକସଭାରେ ଏଡ୍ଭୋକେଟ୍ସ ଆମେଣ୍ଡ୍ମେଣ୍ଟ୍ ବିଲ୍-୨୦୨୩ ଏବଂ ପ୍ରେସ୍ ଓ ରେଜିଷ୍ଟ୍ରେସନ ଅଫ୍ ପିରିଓଡିକାଲ ବିଲ୍-୨୦୨୩ ଆଗତ ହେବ। ସ୍ବତନ୍ତ୍ର ଅଧିବେଶନରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବନାହିଁ। ଏହା ସହିତ କୌଣସି ପ୍ରାଇଭେଟ୍ ବିଲ୍ ମଧ୍ୟ ଆଗତ ହେବନାହିଁ ବୋଲି ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |