ନୂଆଦିଲ୍ଲୀ,୧୭ା୯:ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ|ଗୀତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଏକମାତ୍ର କନ୍ୟା ଓ ନବୀନଙ୍କର ବଡ଼ ଭଉଣୀ ଥିଲେ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଶନିବାର ରାତିରେ ପରଲୋକ ହୋଇଛି। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।ଗୀତା ଏକାଧାରରେ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା, ଚଳଚ୍ଚିତ୍ର ପ୍ରଯୋଜିକା ଏବଂ ସାମ୍ବାଦିକା ଥିଲେ। ସେ ଆମେରିକାର ବିଶିଷ୍ଟ ପ୍ରକାଶକ ସୋନୀ ମେହେଟ୍ଟାଙ୍କୁ ୧୯୬୫ରେ ବିବାହ କରିଥିଲେ। ୨୦୧୯ରେ ସୋନୀଙ୍କ ପରଲୋକ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଆଦିତ୍ୟ ସିଂ ମେହେଟ୍ଟା ଅଛନ୍ତି। ଗୀତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ। ଗୀତା ୧୯୪୩ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟେନର କ୍ୟାମ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଶିକ୍ଷାଲାଭ କରିଥିବା ଗୀତା ୫ଟି ପୁସ୍ତକର ରଚୟିତା। ସେଗୁଡ଼ିକ ହେଲା ‘କର୍ମ କୋଲା’, ‘ସ୍ନେକ୍ ଆଣ୍ଡ୍ ଲାଡର୍ସ’, ‘ଏ ରିଭର ସୂତ୍ର’, ‘ରାଜ୍’ ଏବଂ ‘ଦି ଇଣ୍ଟରନାଲ ଗଣେଶ’। ଇଂଲିଶ୍ରେ ଲିଖିତ ଏହି ପୁସ୍ତକଗୁଡ଼ିକ ପାଠକୀୟ ମହଲରେ ବେଶ୍ ଆଦୃତି ଲାଭ କରିଥିଲା। ଏହି ଉପନ୍ୟାସଗୁଡ଼ିକ ୨୧ଟି ଭାଷାରେ ଅନୁଦିତ ହୋଇ ଭାରତ ସମେତ ଆମେରିକା ଏବଂ ୟୁରୋପରେ ବେଷ୍ଟ ସେଲର ତାଲିକାରେ ସ୍ଥାନ ପାଇଥିଲା। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ପ୍ରଯୋଜିତ ୧୪ଟି ଟେଲିଭିଜନ ବୃତ୍ତଚିତ୍ର ବ୍ରିଟେନ, ୟୁରୋପ ଓ ଆମେରିକାର ବିଭିନ୍ନ ଚ୍ୟାନେଲଗୁଡ଼ିକର ପ୍ରଦର୍ଶିତ ହୋଇଥିଲା। ୧୯୭୦-୭୧ରେ ସେ ଆମେରିକୀୟ ଟେଲିଭିଜନ ନେଟ୍ଓ୍ବର୍କ ଏନ୍ବିସି ପାଇଁ ଓ୍ବାର କରସ୍ପେଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସଂଯୋଜନାରେ ବାଂଲାଦେଶ ମୁକ୍ତି ସଂଗ୍ରାମ ଉପରେ ଆଧାରିତ ଚଳଚ୍ଚିତ୍ର ସଂକଳନ ଦେଶ ଏବଂ ବିଦେଶର ସିନେମା ହଲ୍ଗୁଡ଼ିକରେ ପ୍ରଦର୍ଶିତ ହୋଇଥିଲା। ଗୀତାଙ୍କ ପରଲୋକରେ ରାଜ୍ୟପାଳ ଗଣେଶୀ ଲାଲ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଇଂଲିଶ ଲେଖିକା ଗୀତା ମେହେଟ୍ଟାଙ୍କ ବିୟୋଗରେ ସେ ଶୋକ ସନ୍ତପ୍ତ ପରିବାର ଓ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି। ସାହିତ୍ୟ ଜଗତ ପ୍ରତି ତାଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ଏହି ପୁରସ୍କାର ଦିଆଯାଇଥାଆନ୍ତା। ତେବେ ଏହି ଘୋଷଣାର ଦିନକ ପରେ ଅର୍ଥାତ୍ ୭୦ତମ ସାଧାରଣତନ୍ତ୍ର ଦିବସରେ ସେ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ନ୍ୟୁୟର୍କରେ ଏକ ପ୍ରେସ୍ ବିବୃତି ଜାରି କରି ଗୀତା କହିଥିଲେ, ସରକାର ମୋତେ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚନା କରିଥିବାରୁ ମୁଁ କୃତଜ୍ଞ। କିନ୍ତୁ ଯେଉଁ ସମୟରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି, ଏହାକୁ ଗ୍ରହଣ କଲେ ସମାଜକୁ ଭୁଲ୍ ବାର୍ତ୍ତା ଯାଇପାରେ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଉଭୟ ସରକାର ଓ ମୋ ପାଇଁ ଏହା ଅଶୋଭନୀୟ ନୁହେଁ କହି ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେ ୧୯୬୫ରେ ବିବାହ କରିଥିଲେ ଓ ୨୦୧୯ରେ ଭାରତର ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମ ଶ୍ରୀ’ ସମ୍ମାନରେ ସମ୍ମାନିତ ହୋଇଥିଲେ । ଭଉଣୀଙ୍କ ମୃତ୍ୟୁ ସମ୍ବାଦ ପାଇ ଗଭୀର ଦୁଃଖରେ ମର୍ମାହତ ହୋଇପଡ଼ିଥିବା ନବୀନ କିଛି ସମୟ ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି । ଗୀତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ଓ କେନ୍ଦ୍ରୀୟ ସ୍ତରର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |